ଚଣ୍ଡୀଗଡ଼: ଦେଶରେ ଜାରି ରହିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ପଞ୍ଜାବରେ ଗତ ୧୪ ତାରିଖରେ ଅନୁଷ୍ଠିତ ପୌର ନିର୍ବାଚନ ଫଳାଫଳରୁ କଂଗ୍ରେସ ଦଳ ମୋଟ ୮ଟି ପୌରନିଗମରୁ ୭ଟିକୁ ଦଖଲ କରିନେଇଥିବା ଜଣାଯାଇଛି। ସେଗୁଡ଼ିକ ମଧ୍ୟରେ ମୋଗା, ହୋସିଆରପୁର, କପୁରତାଲା, ଆବୋହାର, ପଠାନକୋଟ, ବାଟଲା ଓ ଭଟିଣ୍ଡା ଆଦି ରହିଛି। କେବଳ ମୋହାଲି ଫଳାଫଳ ଆସନ୍ତାକାଲି ଘୋଷିତ ହେବାକୁ ରହିଛି। ଏପରିକି ଦୀର୍ଘ ୫୩ ବର୍ଷ ପରେ ଭଟିଣ୍ଡା ପୌରନିଗମ କଂଗ୍ରେସ ହାତକୁ ଫେରିଆସିଛି। ସେହିପରି ଘୋଷିତ ହୋଇଥିବା ୮୦ଟି ପୌର ପରିଷଦ ମଧ୍ୟରୁ କଂଗ୍ରେସକୁ ୬୫ ଟି ମିଲିସାରିଛି। ଏଭଳି ଫଳାଫଳରେ ଉଲ୍ଲସିତ ହୋଇ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏହା ଆଗାମୀ ବିଧାନସଭା ନିର୍ବାଚନର ପ୍ରାକ୍ସୂଚନା ବୋଲି କହିଛନ୍ତି।
ଅପରପକ୍ଷେ, ଶିରୋମଣି ଅକାଳି ଦଳ(ଏସ୍ଏଡି), ବିଜେପି ଓ ଆପ୍କୁ ତୀବ୍ର ଝଟ୍କା ଲାଗିଛି। ସେହିପରି ନଗର ପ଼ଞ୍ଚାୟତ ଓ ପୌର ପରିଷଦଗୁଡ଼ିକର ଫଳାଫଳ ସଂମ୍ପୂର୍ଣ୍ଣ ଆସିନଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତି ସ୍ଥିତିରୁ କଂଗ୍ରେସ ମଧ୍ୟ ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି। ମିଳିଥିବା ୧୮୧୫ଟି ପୌର ପରିଷଦ ଆସନରୁ ୧୧୯୯ଟି କଂଗ୍ରେସ ହାତରେ ପଡ଼ିଛି। ସେହିପରି ୩୫୦ଟି ପୌର ନିଗମ ଆସନରୁ ୨୮୧ଟିକୁ କଂଗ୍ରେସ ହାତେଇ ନେଇଛି। ଏସ୍ଏଡିକୁ ଯଥାକ୍ରମେ ୨୮୯ ଓ ୩୩, ବିଜେପିକୁ ୩୮ ଓ ୨୦ ଏବଂ ଆପ୍କୁ ୫୭ ଓ ୯ଟି ଆସନ ମିଳିଛି। ବିଜେପି ଓ ଆପ୍କୁ କୌଣସି ପୌର ପରିଷଦ ମିଳିନଥିବା ବେଳେ ବିଜେପି ଠାରୁ ସମ୍ପର୍କ ଛିଣ୍ଡାଇ ଏକାକୀ ଲଢୁଥିବା ଏସ୍ଏଡିକୁ ୫ଟି ପୌର ପରିଷଦ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f5h456fs4h56fs456hfsfshfsh.jpg)