ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ‌କର୍ମୀଙ୍କୁ ଗୁଳିମାରି ହତ୍ୟା

କୋଲ୍‌କାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦିନ ଘଟିଥିବା ରାଜନୈତିକ ସଂଘର୍ଷ ସମୟରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପୁଲିସ କହିବା ଅନୁସାରେ, ମୁର୍ଶିଦାବାଦ ଜିଲ୍ଲାର ଖରଗ୍ରାମରେ ଅଜ୍ଞାତ ଆତତାୟୀମାନେ ଫୁଲ୍‌ଚନ୍ଦ ଶେଖ୍ ନାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ରାଜ୍ୟ କଂଗ୍ରେସ ସଭାପତି ଅଧୀରରଞ୍ଜନ ଚୌଧୁରୀ କହିଛନ୍ତି, ଏହି ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ନିର୍ବାଚନ ପୂର୍ବରୁ ଆମ ଲୋକମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ଆଶଙ୍କା ହେଉଥିଲା।

ଏହି ଆକ୍ରମଣ ବିଷୟରେ ପୁଲିସଠାରୁ ରିପୋର୍ଟ ମଗାଯାଇଥିବା କଥା ରାଜ୍ୟ ନିର୍ବାଚନ କମିସନ୍‌ ଅଧିକାରୀମାନେ କହିଛନ୍ତି।

‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ସଦସ୍ୟ ଶାନ୍ତନୁ ସେନ୍‌ କହିଛନ୍ତି ଯେ, ପୁଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଏହି ହତ୍ୟାକାଣ୍ଡ ରାଜନୀତି ସହିତ ଜଡ଼ିତ କି, ନୁହେଁ ତାହା ଜାଣିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୮ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଗୁରୁବାର ଦିନ ‘ଏସ୍‌ଇସି’ ରାଜୀବ ସିହ୍ନା କହିଥିଲେ। ଏଥିପାଇଁ ତୁରନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ ଏବଂ ଜୁଲାଇ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର