ବିବାଦରେ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା: ବିବାଦୀୟ ପାଦ୍ରୀଙ୍କୁ ଭେଟିଲେ ରାହୁଲ

ଯୀଶୁ ହିଁ ପ୍ରକୃତ ଭଗବାନ ବୋଲି ଆଲୋଚନା କଲେ, ଟାର୍ଗେଟ୍‌ କଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ଯୋଡ଼ୋ ଯାତ୍ରା’ କାର୍ଯ୍ୟକ୍ରମରେ ଆଜି ବିବାଦୀୟ ପାଦ୍ରୀ ଜର୍ଜ‌୍ ପୋନେୟାଙ୍କୁ ଭେଟିଛନ୍ତି। ଜର୍ଜ ପୋନେୟା ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ସର୍ବଦା ବିବାଦରେ ରହୁଥିବା ବେଳେ ପୂର୍ବରୁ ଏଭଳି ମାମଲାରେ ଗିରଫ ମଧ୍ୟ ହୋଇଥିଲେ। ତାଙ୍କର ଆଭିମୁଖ୍ୟ ସର୍ବଦା ଭାରତ ବିରୋଧୀ ରହି ଆସିଥିବା ଅଭିଯୋଗ ହେଉଛି । ଆଜି ରାହୁଲଙ୍କୁ ଭେଟିବା ଅବସରରେ ଜର୍ଜ‌୍ ପୋନେୟା କହିଥିଲେ, ଯୀଶୁ ହିଁ ପ୍ରକୃତ ଭଗବାନ, ଶକ୍ତି କିମ୍ବା ଅନ୍ୟ ଦେବତା କୌଣସି ଭଗବାନ ନୁହଁନ୍ତି। ରାହୁଲ ଏବଂ ପୋନେୟାଙ୍କ ମଧ୍ୟରେ ଏ ବାବଦ ଆଲୋଚନା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାହୁଲ ଗାନ୍ଧିଙ୍କ ସହ ଜର୍ଜ‌୍ ପୋନେୟାଙ୍କର ଏହି ଭିଡିଓକୁ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଆଜି ପୋଷ୍ଟ୍‌ କରିବା ସହ କଂଗ୍ରେସ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଶେହଜାଦ କହିଛନ୍ତି, ରାହୁଲଙ୍କୁ ଭେଟିଥିବା ଜର୍ଜ‌୍ ପୋନେୟା କହିଛନ୍ତି, ଯୀଶୁ ହିଁ ପ୍ରକୃତ ଭଗବାନ। ଶକ୍ତି ଏବଂ ଅନ୍ୟ ଭଗବାନ କିଛି ନୁହନ୍ତି ।

ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଟିପ୍ପଣୀ ପାଇଁ ଉକ୍ତ ବ୍ୟକ୍ତି ପୂର୍ବରୁ ଗିରଫ ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି ଏଭଳି ବ୍ୟକ୍ତିଙ୍କୁ ସର୍ବଦା ପ୍ରୋତ୍ସାହିତ କରୁଛନ୍ତି। ପୋନେୟା ଥରେ କହିଥିଲେ, ‘ ମୁଁ ଜୋତା ପିନ୍ଧୁଛି କାରଣ ଭାରତ ମାତାଙ୍କ ଅଶୁଦ୍ଧତା ମତେ ସଂକ୍ରମିତ କରିବା ଉଚିତ ନୁହେଁ।’ ଏଭଳି ଜଣେ ବ୍ୟକ୍ତିଙ୍କ ସହ ରାହୁଲ ଭାରତ ଯୋଡ଼ୋ ଯାତ୍ରାରେ ସାକ୍ଷାତ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିଜେପି ଆଇଟି ଶାଖା ମୁଖ୍ୟ ଅମିତ ମାଲବୀୟ ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅମିତ ମାଲଭିୟ ଟ୍ବିଟ୍‌ କରି କହିଛନ୍ତି, ଧର୍ମକୁ ଅପମାନ କରି ସର୍ବଦା ବିବାଦୀୟ ବୟାନ ଦେଇଥିବା ଜଣେ ପାଦ୍ରୀଙ୍କୁ ଭେଟିବା ଯଦି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ଅଂଶବିଶେଷ ତେବେ ଏହି ଯାତ୍ରା କେବଳ ଏକ ଛଳନା। ଅନ୍ୟ ଏକ ଟ୍ବିଟ୍‌ କରି ମାଲବୀୟ ପ୍ରଶ୍ନ କରିଛନ୍ତି ରାହୁଲ କେବଳ ଘୃଣା ପ୍ରସାର କରୁଥିବା ଲୋକଙ୍କ ସହ ସମୟ କାହିଁକି ଅତିବାହିତ କରୁଛନ୍ତ ଜଣାପଡ଼ୁନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଯେ ବିଜେପି ଜାରି କରିଥିବା ଅଡିଓ ଏବଂ ଭିଡିଓକୁ କଦର୍ଥ କରାଯାଇଛି। ବିଜେପି ‘ଭାରତ ଯୋଡ଼ୋ’ ଯାତ୍ରାର ସଫଳତାକୁ ନେଇ ଭୟ କରୁଛି ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ନେତା ମଣିକମ ଟାଗୋର ରାହୁଲଙ୍କୁ ସମର୍ଥନ କରିଛନ୍ତି। ଟାଗୋର କହିଛନ୍ତି, ରାହୁଲ ଗାନ୍ଧି ତାଙ୍କ ପଦଯାତ୍ରା ସମୟରେ ଅନେକ ଲୋକଙ୍କୁ ଭେଟୁଛନ୍ତି ଏବଂ ଏଥି‌ରେ କୌଣସି ଭୁଲ୍‌ ନାହିଁ।

ସମ୍ବନ୍ଧିତ ଖବର