ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ହେବାକୁ ଆଜି ଦୁଇ ବର୍ଷ : ଅସ୍ତ୍ରୋପଚାର ସଫଳତାକୁ ନେଇ ଏମ୍‌ସରେ ତତ୍ପରତା

ନୂଆଦିଲ୍ଲୀ : ୨୦୧୭ ଅକ୍ଟୋବର ୨୫ ତାରିଖ ଦିନ ଏମ୍ସଠାରେ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର କରାଯାଇ କନ୍ଧମାଳର ଜଗା-ବଳିଆ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା। ଏହି ସଫଳ ଅସ୍ତ୍ରୋପଚାର ଆସନ୍ତାକାଲି ଦୁଇବର୍ଷରେ ପଦାର୍ପଣ କରିବ।

ଗତ ମାସରେ ଦୁଇ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ତାନାନ୍ତରିତ କରାଯାଇଛି। ଏମ୍ସ ଡାକ୍ତରୀ ଦଳ ଲଗାତାର ଏସସିବି ମେଡିକାଲ କଲେଜ ଡାକ୍ତରମାନଙ୍କ ସହିତ ଦୁଇ ଶିଶୁମାନଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଯୋଗାଯୋଗରେ ରହୁଛନ୍ତି। ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ୬ ମାସର ଔଷଧ ମଧ୍ୟ ଏସ୍‌ସିବି ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମ୍ସ ଦିଲ୍ଲୀରେ ଜଗା-ବଳିଆଙ୍କୁ ସଫଳ ଅପରେସନ ପରେ ଏଭଳି ବିରଳ ଓ ଜଟିଳ ଅପରେସନକୁ ଭାରତରେ କିଭଳି କମ୍ ଖର୍ଚ୍ଚରେ କରାଯାଇ ପାରିବ, ସେନେଇ ଏମ୍ସ ଡାକ୍ତରୀ ଦଳ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି। ଜଗ-ବଳିଆଙ୍କ ଅପରେସନର ସଫଳ କାହାଣୀ ଅନ୍ତର୍ଗତ ଏଭଳି ବିରଳ ଅପରେସନରେ ଡାକ୍ତରୀ ଦଳକୁ ମିଳିଥିବା ସଫଳତାକୁ ଏମ୍ସ ଡାକ୍ତରୀ ଦ୍ବାରା ଆନ୍ତର୍ଜାତୀୟ ମେଡିକାଲ ଜର୍ନାଲମାନଙ୍କରେ ଗବେଷଣାମୂଳକ ଲେଖା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅପରେସନର ବିଭିନ୍ନ ଦିଗ ତଥା ଜଟିଳତା ସମ୍ପର୍କରେ ସ୍ବତନ୍ତ୍ର ଗବେଷଣାମୂଳକ ପ୍ରବନ୍ଧ ପ୍ରକାଶନ ପାଇଁ ପ୍ରସ୍ତୁତ କାରଯାଇଥିବାର ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦେଶରେ ଜଗା-ବଳିଆଙ୍କ କ୍ଷେତ୍ରରେ ଏମ୍ସ ଡାକ୍ତରମାନେ ହାସଲ କରିଥିବା ଖ୍ୟାତି ଦେଶ ଓ ବିଦେଶର କୋଣ ଓ ଅନୁକୋଣରେ ପ୍ରଚାର ଓ ପ୍ରସାର ହେଉ ବୋଲି ମତବ୍ୟକ୍ତ କରିସାରିଛନ୍ତି।

ସୂଚନା ଅନୁସାରେ, ଜାଗ-ବଳିଆଙ୍କ ସଫଳ ଅପରେସନ ପରେ ବର୍ତ୍ତମାନ ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିବା ହାଇଦ୍ରାବାଦର ୧୭ ବର୍ଷୀୟା ବାଣୀ ଓ ବୀଣା ଏବଂ ପାଟଣାର ୨୩ ବର୍ଷୀୟା ଶାବା ଓ ଫାରହାଙ୍କୁ ଏମ୍ସର ଡାକ୍ତରମାନେ ସାକ୍ଷାତ କରି ସଫଳ ଅପରେସନ ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କୁ ଅପରେସନ କରାଇବା ପାଇଁ ଉତ୍ସାହିତ କରାଇଥିଲେ। ହେଲେ ଉଭୟ ଯୋଡ଼ା ମୁଣ୍ଡଧାରୀ ଅପରେସନ ପାଇଁ ପ୍ରସ୍ତୁତ ରାଜି ହୋଇନଥିବାର ଡାକ୍ତରମାନେ କହିଛନ୍ତି।

ପ୍ରକାଶଥାଉକି, ୧୯୧୨ରୁ ୨୦୧୯ ଭିତରେ ବିଶ୍ବରେ ୧୧୬ ଯୋଡ଼ାମୁଣ୍ଡ ମାମଲାରେ ୧୫ ଜଣଙ୍କର ଅପରେସନ ସଫଳ ହୋଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ଜଗା-ବଳିଆଙ୍କ ଏମ୍ସରେ ସଫଳ ଅପରେସନର ଦୁଇ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଆଗକୁ ଏଭଳି ଜଟିଳ ଅପରେସନକୁ ଭାରତର ପ୍ରତିଷ୍ଠିତ ଚିକିତ୍ସା କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯାଇ ପାରିବ ସେ ନେଇ ଏମ୍ସ ଡାକ୍ତରମାନେ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର