ଜଗାର ଦୃଷ୍ଟିଶକ୍ତି ହ୍ରାସ ପାଇଛି, ବଳିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଳୀ : ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାର ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିଲେ ସୁଦ୍ଧା ଜଗାର ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ଡାକ୍ତରୀଦଳ ଜାଣି ପାରିଛନ୍ତି। ଏହା ଡାକ୍ତରୀଦଳଙ୍କ ଚିନ୍ତା ବଢ଼ାଇ ଦେଇଛି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଜଗାର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ତେବେ କେତେଦୁର ଦୃଷ୍ଟିଶକ୍ତି ହ୍ରାସ ହୋଇଛି ତାହା ଆକଳନ ହୋଇନି। ତେବେ ଅପରେସନ ସମୟରେ ଭିଜନ୍‌ ନର୍ଭରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ଏନେଇ ଡାକ୍ତରୀଦଳ ଜଗାର ଆଜି ବିଭିନ୍ନ ପ୍ରକାର ଆଏ ଏକ୍ସରସାଇଜ୍‌ କରିଛନ୍ତି। ଆଏ ସିଫ୍ଟ ଏକ୍ସରସାଇଜ୍‌, ଟ୍ରାକିଂ ଏକ୍ସରସାଇଜ୍‌, କ୍ଲକ୍‌ ଏକ୍ସରସାଇଜ୍‌ ଦ୍ୱାରା ଜଗାର ଦୃଷ୍ଟିଶକ୍ତିରେ ଆସିଥିବା ହ୍ରାସତାକୁ ଦୂର କରିବା ସହ ଭିଟାମିନ ଏ ସପ୍ଲିମେଣ୍ଟ୍‌ ଯୁକ୍ତ ଖାଦ୍ୟ ଦେବାପାଇଁ ଡାକ୍ତରୀଦଳ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଜଗା ଆଜି ଭାତ, ଡାଲି ସହ ପନିର ମଧ୍ୟ ଖାଇଛି। ଜଗାର ଫିଜିଓଥେରାପି ମଧ୍ୟ କରାଯାଇଛି। ଜଗା ଆଜି ଜେନେରାଲ୍‌ ଓ୍ଵାର୍ଡରେ ବୁଲିବା ସହ ନର୍ସମାନଙ୍କ ସହ ବଲ୍‌ ଖେଳିଥିଲା। ଅନ୍ୟପକ୍ଷରେ ବଳିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରୀଦଳ ଦ୍ୱାରା ବଳିଆକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାପାଇଁ ପ୍ରୟାସ ଜାରି ରହିଛି। ଜଗା ବଳିଆଙ୍କ ବାପା ମା’ ଦୁଇ ଶିଶୁ ଖୁବ୍‌ ଶୀଘ୍ର ଆରୋଗ୍ୟଲାଭ କରିବେ ବୋଲି ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର