ଜାକଲିନଙ୍କ ସହ ସାରା, ଜାହ୍ନବୀ ଓ ଭୂମିଙ୍କୁ ଟାର୍ଗେଟ କରିଥିଲେ ସୁକେଶ, ଚୋରି ଟଙ୍କାରେ ଦେଇଥିଲେ ଉପହାର

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କର ଦିନକୁ ଦିନ ଅସଲ ଚେହେରା ସାମ୍ନାକୁ ଆସୁଛି। ପୂର୍ବରୁ ସେ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ଓ ନୋରା ଫତେହୀଙ୍କୁ ନିଜ ମିଛ ଜାଲରେ ଫସାଇ ଦାମୀ ଉପହାର ଦେଇଥିବା କଥା ସାମ୍ନାକୁ ଆସିଥିବା ବେଳେ ଆଜି ଏହି ମାମଲାରେ ଆଉ ଗୋଟେ ନୂଆ ଦିଗ ସାମ୍ନାକୁ ଆସିଛି। ଜାକଲିନ ଓ ନୋରାଙ୍କ ସହ ସୁୁକେଶ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍, ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କୁ ଉପହାର ଦେବା ଆଳରେ ଫସାଇବାକୁ ଚେଷ୍ଟା କରିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କୁହାଯାଇଛି।

ଇଡି କହିଛି ଯେ, ନିଜକୁ ସୁରଜ ରେଡ୍ଡୀ ବୋଲି କହି ସୁକେଶ ସାରାଙ୍କୁ ହ୍ବାଟସଆପରେ ମେସଜ କରିିଥିଲେ। ମେ’ ୨୧, ୨୦୨୧ରେ ସେ ସାରାଙ୍କୁ ମେସେଜ କରିବା ସହ କିଛିି ଦିନ ପରେ ସେ ଏକ ଦାମୀ କାର ଉପହାରରେ ଦେବାକୁ ଚାହୁୁଁଥିବା କହିଥିଲେ। ହେଲେ ସାରା କୌଣସି ଦାମୀ ଉପହାର ନେବାକୁ ମନା କରିଦେଇଥିଲେ। ହେଲେ ସୁକେଶ ବାଧ୍ୟ କରୁଥିବାରୁ ସାରା ତାଙ୍କୁ ଚକୋଲେଟ ବକ୍ସ ଉପହାର ଆକାରରେ ଦେବାକୁ କହିଥିଲେ। ସୁକେଶ ସାରାଙ୍କ କଥା ମାନି ଚକୋଲେଟ ବକ୍ସ ଦେବା ସହ ୧ଲକ୍ଷରୁ ଅଧିକ ଟଙ୍କାର ଦାମୀ ଘଣ୍ଟା ଦେଇଥିଲେ।

ସେହିଭଳି ପତ୍ନୀ ଲୀନା ମାରିଆଙ୍କ ଜରିଆରେ ଜାହ୍ନବୀଙ୍କୁ ଟାର୍ଗେଟ କରିଥିଲେ ସୁକେଶ। ଲୀନା ନିଜକୁ ଏକ ସେଲୁୁନର ମାଲିକ ବୋଲି କହି ଉଦଘାଟନ ପାଇଁ ଜାହ୍ନବୀଙ୍କୁ ବେଙ୍ଗାଲୁରୁ ଡାକିଥିଲେ। ଉଦଘାଟନ ପରେ ଲୀନା ଜାହ୍ନବୀଙ୍କୁ ୧୮ଲକ୍ଷ ଟଙ୍କା ଦେଇଥିବା ସହ ଲୀନାଙ୍କ ମା’ ଜାହ୍ନବୀଙ୍କୁୁ ଦାମୀ ବ୍ୟାଗ୍ ଉପହାରରେ ଦେଇଥିଲେ।

ତେବେ ଅଭିନେତ୍ରୀ ଭୂମିଙ୍କୁ ମଧ୍ୟ ନିଜ ଉପହାର ଜାଲରେ ଫସାଇବାକୁ ଚାହିଁଥିଲେ ସୁକେଶ। ନିଜ ସହଯୋଗୀ ପିଙ୍କି ଇରାନୀଙ୍କ ଜରିଆରେ ସେ ଭୂମିଙ୍କୁ ଟାର୍ଗେଟ କରିଥିଲେ। ଜାନୁଆରୀ ୨୦୨୧ରେ ନ୍ୟୁଜ୍ ଏକ୍ସପ୍ରେସ ପୋଷ୍ଟର ମୁଖ୍ୟ ସୁରଜ(ସୁକେଶ ଚନ୍ଦ୍ରଶେଖର) ଆପଣଙ୍କ ବଡ଼ ପ୍ରଶଂସକ ଏବଂ ବଡ଼ ପ୍ରୋଜେକ୍ଟ ପାଇଁ ସୁରଜ ଭେଟିବାକୁ ଚାହୁଁଥିବା ଭୂମିଙ୍କୁ କହିଥିଲେ ପିଙ୍କି। ଏମିତିକି ଦାମୀ କାର ମଧ୍ୟ ଉପହାର ଦେବାକୁ ସୁରଜ ଚାହୁଁଥିବା କଥା ପିଙ୍କି ଭୂମିଙ୍କୁ କହିଥିଲେ। ଏହା ପରେ ମେ’ ୨୧ ପର୍ଯ୍ୟନ୍ତ ପିଙ୍କି ଏବଂ ସୁକେଶ ଦୁହେଁ ଭୂମିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଭୂମି ଦୁହିଁଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

ସମ୍ବନ୍ଧିତ ଖବର