କାହିଁକି ଖାରଜ ହେଲା ଆରୟନଙ୍କ ଜାମିନ ?

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ଜାମିନ ଆବେଦନ ଆଜି ପୁଣି ଥରେ ଖାରଜ ହୋଇଯାଇଛି । ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଜାମିନ ଆବେଦନକୁ ଖାରଜ କରି କେତେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।

ନିଜ ଆଦେଶରେ ଜଜ୍ ଭିଭି ପାଟିଲ କହିଛନ୍ତି ଯେ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ ଦେଖିଲେ ମନେ ହେଉନାହିଁ ଯେ ଅଭିଯୁକ୍ତ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଜାମିନ ମିଳିବା ପରେ ଆଉ ସେହି ଅପରାଧ କରିବେ ନାହିଁ । ତିନି ଅଭିଯୁକ୍ତ ଏକ ବଡ଼ ଅପରାଧ କରିଛନ୍ତି, ତାହା ଜାମିନ ଯୋଗ୍ୟ ନୁହେଁ । ଜାମିନରେ ଯିବା ପରେ ଆରୟନ ତଥ୍ୟ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ସାଙ୍ଗମାନଙ୍କ ପାଖରେ ଡ୍ରଗ୍ସ ଥିବା ଆରୟନ ଭଲଭାବେ ଜାଣିଥିଲେ ।

କୋର୍ଟଙ୍କ ୧୮ ପୃଷ୍ଠା ବିଶିଷ୍ଟ ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଅଭିଯୁକ୍ତ ନଂ-୧ (ଆରୟନ)ଙ୍କ ହ୍ବାଟ୍ସଆପ ଚାଟରୁ ଜଣାପଡ଼ୁଛି ଯେ ସେ କେତେକ ବିଦେଶୀ ଡ୍ରଗ୍ସ ଚାଲାଣକାରୀଙ୍କ ଯୋଗାଯୋଗରେ ଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩ରେ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା ।

 

ସମ୍ବନ୍ଧିତ ଖବର