ଆମେରିକାକୁ ଠିକ୍‌ ରାସ୍ତାକୁ ଆଣିବ ଭାରତ!

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ୍‌ ଏ କରୋନା ବିଶ୍ୱମହାମାରୀ କାଳରେ ହାଇଡ୍ରକ୍ସିକ୍ଲୋରୋକୁଇନ୍‌ ଔଷଧ ପାଇଁ ଭାରତକୁ ନେହୁରା ହେବା ବିଶ୍ୱବଜାରରେ ଯେତିକି ରୋଚକ ହେଇଛି। ଭାରତର ପ୍ରତ୍ୟୁତ୍ତର ସେତିକି ରୋମାଞ୍ଚକ ଲାଗୁଛି। କୋଭିଡ୍‌-୧୯ ମୁକାବିଲାରେ ଏହି ଔଷଧର ନିଶ୍ଚିତ ସଫଳତା ଉପରେ ଭେଷଜ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରୁଥିବା ବେଳେ ଆମେରିକୀୟ ବୈଜ୍ଞାନିକ ଓ ବିଶେଷଜ୍ଞମାନେ କିନ୍ତୁ ସେମାନଙ୍କ ଗବେଷଣାଲବ୍ଧ ଜ୍ଞାନ ଉପରେ ସ୍ଥିର ନିଶ୍ଚିନ୍ତ ଅଛନ୍ତି। ପ୍ରଥମେ ଭାରତ ଏହି ଔଷଧ ଉପରେ ରପ୍ତାନୀ ନିଷେଧାଜ୍ଞା ଲାଗୁ କରିଥିଲା। କିନ୍ତୁ ଉଧାରକୁ ବଦଳ ନ୍ୟାୟରେ ଏହି ନିଷ୍ପତ୍ତିରୁ ଓହରି ଯାଇଥିଲା। କାରଣ ଅଧିକ ଗୁରୁତ୍ୱପୂର୍ଣ ଚିକିତ୍ସା ସରଂଜାମ ରେସ୍ପିରେଟର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ନିଷେଧାଜ୍ଞା ରଖିଥିଲା। ଯାହାକି ସେ ଦେଶର ପ୍ରଖ୍ୟାତ କମ୍ପାନୀ ଥ୍ରୀଏମ୍‌ ଉତ୍ପାଦନ କରିଥାଏ। ତେବେ ଆମେରିକାର ଜନସଂଖ୍ୟାର ୪ ଗୁଣ ଭାରତର ହୋଇଥିବାରୁ, ଅଧିକ ଔଷଧର ଆବଶ୍ୟକତା ପାଇଁ ମୋଦୀ କୃପଣ ହୋଇପଡ଼ିଥିଲେ। କିନ୍ତୁ ଭାରତର ଫାର୍ମାସିଉଟିକଲ କମ୍ପାନୀମାନଙ୍କର ପ୍ରତିଶ୍ରୁତି ପାଇବା ପରେ ହାଇଡ୍ରକ୍ସିକ୍ଲୋରୋକୁଇନ୍‌ ପାଇବାକୁ ଟ୍ରମ୍ପ ଅଡ଼ିବସିବା ପରେ ଭାରତ ଏବେ କରୋନା ବିଶ୍ୱମହାମାରୀର ତ୍ରାଣକର୍ତ୍ତା ପାଲଟିଯାଇଛି। କାରଣ ଟିକା ବା ଭାକ୍‌ସିନ୍‌ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ସର୍ବବୃହତ୍‌ ଉତ୍ପାଦନକାରୀ ହୋଇଥିବାରୁ ଶହଶହ ରାଷ୍ଟ୍ର ଏବେ ଚାତକ ଭଳି ଭାରତର ସାନ୍ନିଧ୍ୟ ପାଇବାକୁ ଟାକି ବସିଛନ୍ତି। ତେଣୁ ଔଷଧ ବେପାର ଏକ ନୈତିକତାରେ ସୀମିତ ନରହି କୂଟନୀତି ପାଲଟିଯାଇଛି। ପ୍ରଥମେ ଔଷଧ ଯୋଗାଣ ପାଇଁ ଭାରତ ଅରାଜି ହେବାରୁ ଟ୍ରମ୍ପ୍‌ ଧମକ ଦେଇଥିଲେ। କିନ୍ତୁ ଭୁଲି ଯାଇଥିଲେ ଯେ, ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବ ନାଗରିକ ରହୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ଏବଂ ସେଇମାନଙ୍କ ସମର୍ଥନରେ ହୁଏତ ସେ ପୁନଃନିର୍ବାଚିତ ହୋଇପାରିବେ! ଭାରତ ଏବେ ଜୀବନରକ୍ଷାକାରୀ ଔଷଧର ଯୋଗାଣ କରିବା ପାଇଁ ପ୍ରସ୍ତୁତ ହୋଇସାରଇଥିବା ବେଳେ ସାରା ବିଶ୍ୱର ଅନ୍ୟ ବ୍ୟାପକ ସଂକ୍ରମିତ ରାଷ୍ଟ୍ରମାନଙ୍କ ଦୃଷ୍ଟି ଏବେ ଭାରତ ଉପରେ ନିବଦ୍ଧ ହୋଇଛି।

ସମ୍ବନ୍ଧିତ ଖବର