ସାରସକଣା: ଓଡ଼ିଆ ଭାଷାଭାଷୀଙ୍କ ପ୍ରାବଲ୍ୟତା ହେତୁ ପଶ୍ଚିମବଙ୍ଗର ଖଡ଼ଗପୁର୍ ଓ ଝାଡ଼ଖଣ୍ଡ ଚକ୍ରଧରପୁର୍ ରେଳ ଡିଭିଜନ୍ ଅନ୍ତର୍ଗତ କିଛି ଷ୍ଟେସନ୍ରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଅଛି। ତେବେ ଝାଡ଼ଖଣ୍ଡରେ ଏହାକୁ ବିରୋଧ କରିଛନ୍ତି ଜାମସେଦପୁର ସଂସଦୀୟ ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ବିଦ୍ୟୁତ୍ବରଣ ମାହାତୋ। ଏହି ଷ୍ଟେସନ୍ମାନଙ୍କର ନାଁ ଓଡ଼ିଆ ବଦଳରେ ବଙ୍ଗଳା ଭାଷାରେ ଲେଖିବାକୁ ସେ ଦାବି ଉଠାଇବା ପରେ ଏହାକୁ ନେଇ ଝାଡ଼ଖଣ୍ଡରେ ଥିବା ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାଡ଼ଖଣ୍ଡର ଓଡ଼ିଆ ଜାଗରଣ ମଞ୍ଚ ସଭାପତି ଆଶିଷ ମିଶ୍ର, ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା ଦୀପକ ରଥ, ସୁଲେଖା ସିଂହ ପ୍ରମୁଖ ଏକ ପ୍ରେସ୍ ବିବୃତି ଜାରି କରି ସାଂସଦଙ୍କ ଦାବିର ଯୌକ୍ତିକତା ଉପରେ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ; ଏହି ସଂସଦୀୟ କ୍ଷେତ୍ର ଅଧୀନ ପୂର୍ବ ସିଂହଭୂମ୍ ଜିଲ୍ଲାର ବାହାଡ଼ାଗୋଡ଼ା ଓ ଅନ୍ୟାନ୍ୟ ଅଞ୍ଚଳରେ ଓଡ଼ିଆ ଓ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ। ଏଠାକାର ସାଂସଦ ଶ୍ରୀ ମାହାତୋଙ୍କ ପୂର୍ବଜ ପଶ୍ଚିମବଙ୍ଗ ଅଞ୍ଚଳର। ତେଣୁ ସେ ଓଡ଼ିଆ ଅପେକ୍ଷା ବଙ୍ଗଳାକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି ବୋଲି ଓଡ଼ିଆ ଜାଗରଣ ମଞ୍ଚ ଅଭିଯୋଗ କରିଛି।
ନିକଟରେ ସେ ଦକ୍ଷିଣ ପୂର୍ବ ରେଳବାଇ ପରାମର୍ଶଦାତା କମିଟି ଓ ଖଡ଼ଗପୁର୍ ରେଳ ଡିଭିଜନ୍ ପରାମର୍ଶଦାତା କମିଟି ବୈଠକରେ ଟାଟା-ଖଡ଼ଗପୁର୍ ସେକ୍ସନ୍ର ସବୁ ରେଳ ଷ୍ଟେସନରୁ ଓଡ଼ିଆ ଫଳକ ହଟାଇ କେବଳ ବଙ୍ଗଳାରେ ଫଳକ ଲଗାଇବାକୁ ଦାବି କରିଛନ୍ତି; ଯଦିଓ ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଓଡ଼ିଆ ତାଙ୍କୁ ଲଗାତର ୨ ଥର ସାଂସଦ ଭାବେ ଜିତାଇ ସାରିଲେଣି। ଓଡ଼ିଆ ଭାଷା ପ୍ରତି ସାଂସଦଙ୍କର ଏପ୍ରକାର ଅସହିଷ୍ଣୁ ମନୋଭାବକୁ ଓଡ଼ିଆ ଜାଗରଣ ମଞ୍ଚ ତୀବ୍ର ବିରୋଧ କରିଛି। ଓଡ଼ିଆ ଭାଷାସଂସ୍କୃତିକୁ ପଦାଘାତ କରିବା ପାଇଁ ଓଡ଼ିଆ ଭାଷାଭାଷୀ କଣ ତାଙ୍କୁ ଭୋଟ୍ ଦେଇ ସଂସଦକୁ ପଠାଇଥିଲେ କି ବୋଲି ମଞ୍ଚର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି।
ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ସମ୍ବିଧାନର ଅଷ୍ଟମ ସୂଚୀରେ ଏହା ସ୍ଥାନ ପାଇଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷା ମାନ୍ୟତା ପାଇଛି। ତେଣୁ ରେଳ ଷ୍ଟେସନ୍ରେ ଓଡ଼ିଆ ନାମଫଳକ ହଟାଇବା ପରିବର୍ତ୍ତେ ଖଡ଼ଗପୁର୍ ଡିଭିଜନ୍ ଓ ଚକ୍ରଧରପୁର ଡିଭିଜନ୍ରେ ବାକିଥିବା ସବୁ ଷ୍ଟେସନ୍ରେ ଓଡ଼ିଆ ଭାଷାରେ ଫଳକ ଲଗାଇବାକୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦକ୍ଷିଣ ପୂର୍ବ ରେଳବାଇର ଜିଏମ୍ ଓ ଖଡ଼ଗପୁର୍ ଡିଭିଜନର ଡିଆର୍ଏମ୍ଙ୍କ ହସ୍ତକ୍ଷେପ ଲୋଡ଼ିଛି ଓଡ଼ିଆ ଜାଗରଣ ମଞ୍ଚ।