ନମ୍ବି ନାରାୟଣନଙ୍କ ବିରୋଧରେ ଷଡ଼ଯନ୍ତ୍ର ମାମଲା: ୫ ଅଭିଯୁକ୍ତଙ୍କୁ ଝଟ୍‌କା

କେରଳ ହାଇକୋର୍ଟର ଆଗୁଆ ଜାମିନ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଇସ୍ରୋ ଗୁପ୍ତଚରଗିରି ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେରଳ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି। ୧୯୯୪ ଗୁପ୍ତଚରଗିରି ମାମଲାରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ଷଡ଼ଯନ୍ତ୍ର କରି ଫସାଇଥିବା ଅଭିଯୋଗରେ ଗୁଜରାଟର ପୂର୍ବତନ ଡିଜିପି ଆର୍‌ ବି ଶ୍ରୀକୁମାର ଏବଂ ଅନ୍ୟ ୪ ଅଭିଯୁକ୍ତଙ୍କୁ କେରଳ ହାଇକୋର୍ଟ ଆଗୁଆ ଜାମିନ ଦେଇଥିଲେ। କିନ୍ତୁ କେରଳ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସିବିଆଇର ବିଭିନ୍ନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ନଭେମ୍ବର ୨୮ରେ ରାୟ ସଂରକ୍ଷିତ ରଖିଥିଲେ। ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି କେରଳ ହାଇକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଆଗୁଆ ଜାମିନ ରାୟକୁ ଖାରଜ କରିଦେଇଛନ୍ତି।

କେରଳ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପ‌ରେ ପୁନର୍ବାର ଶୁଣାଣି କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥିପାଇଁ ୪ ସପ୍ତାହ ସମୟ ଦେଇଛନ୍ତି। ଏହି ୪ ସପ୍ତାହ ସମୟ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବନାହିଁ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୈଜ୍ଞାନିକ ନମ୍ବି ନାରାୟଣନ ୧୯୯୪ରେ ଦେଶର ମହାକାଶ ଟେକନୋଲୋଜି ସଂକ୍ରାନ୍ତ ଗୁରୁ୍ତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ବିକ୍ରି କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତେ‌ବେ ଏହି ମାମଲାରେ ସେ ସିବିଆଇ କୋର୍ଟ ଦ୍ବାରା‌ ଦୋଷମୁକ୍ତ ହୋଇଥିଲେ ଏବଂ ପରେ ୧୯୯୮ରେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ସେ ଅନ୍ୟ ଜଣେ ବୈଜ୍ଞାନିକ ଡି ଶଶିକୁମାର ଏବଂ ଅନ୍ୟ ୪ ଜଣଙ୍କ ସହ ମୋଟ୍‌ ୫୦ ଦିନ ଜେଲ୍‌ରେ ରହିଥିଲେ। ଅନାବଶ୍ୟକ ଭାବେ ଗିରଫ କରାଯିବା ଏବଂ ମାନସିକ ନିର୍ଯାତନା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ରେ କେରଳ ସରକାର ମଧ୍ୟ ପୂର୍ବତନ ବୈଜ୍ଞାନିକଙ୍କୁ ଏହି ମାମଲାରେ ୧.୩୦ କୋଟି ଅତିରିକ୍ତ କ୍ଷତିପୂରଣ ଦେଇଥିଲେ।

ସମ୍ବନ୍ଧିତ ଖବର