ନୂପୁରଙ୍କ ହତ୍ୟା ପାଇଁ ଷଡ଼୍‌ଯନ୍ତ୍ର: ପାକିସ୍ତାନୀ ଅନୁପ୍ରବେଶକାରୀ ରାଜସ୍ଥାନରୁ ଗିରଫ

ନୂଆଦିଲ୍ଲୀ : ପ୍ରଫେଟ ବୟାନ ପାଇଁ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଦେଶ ଭିତରେ ନୂପୁରଙ୍କ ମୁଣ୍ଡକାଟ ପାଇଁ ଖୋଲାଖୋଲି ଧମକ ମିଳିବାପରେ ଏବେ ପୁଣି ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନୂପୁରଙ୍କ ହତ୍ୟା ଯୋଜନା କରି ଭାରତରେ ଆସି ପହଞ୍ଚି ସାରିଛି। ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିଥିବା ଜଣେ ପାକିସ୍ତାନୀ ନାଗରିକକୁ ରାଜସ୍ଥାନର ଶ୍ରୀ ଗଙ୍ଗା ନଗର ଜିଲ୍ଲାରୁ ଗିରଫ କରାଯାଇଛି। ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଏବଂ ଅନ୍ୟ ଗୁଇନ୍ଦା ସଂସ୍ଥାମାନଙ୍କର ଏକ ମିଳିତ ଟିମ୍‌ ଗିରଫ ପାକିସ୍ତାନୀ ନାଗରିକକୁ ଜେରା କରୁଛନ୍ତି।

ବିଏସଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜୁଲାଇ ୧୬‌ରେ ଉକ୍ତ ବ୍ୟକ୍ତିକୁ ପାଟ୍ରୋଲିଂ ଟିମ୍‌ ଏକ ବର୍ଡର ଆଉଟପୋଷ୍ଟ୍‌ ନିକଟରୁ ଧରିଥିଲେ। ତା’ ନିକଟରୁ ଏକ ଛୁରୀ, କିଛି ଧାର୍ମିକ ପୁସ୍ତକ, ପୋଷାକ ଏବଂ ଖାଦ୍ୟ ମିଳିଛି। ଉକ୍ତ ବ୍ୟକ୍ତିକୁ ରିଜୱାନ ଆଶରଫ୍‌ ବୋଲି ଚିହ୍ନଟ କରାଯାଇଛି। ସେ ପାକିସ୍ତାନର ଉତ୍ତର ପଂଜାବ ସ୍ଥିତ ଏକ ସହରର ବାସିନ୍ଦା। ପ୍ରାଥମିକ ତଦନ୍ତ ସମୟରେ ଉକ୍ତ ପାକିସ୍ତାନୀ ଅନୁପ୍ରବେଶକାରୀ ନୂପୁରଙ୍କ ହତ୍ୟା ପାଇଁ ଯୋଜନା କରିଥିବା ସ୍ବୀକାର କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ଦେଇଥିବା ବିବାଦୀୟ ବୟାନ ପାଇଁ ସେ ତାଙ୍କୁ ହତ୍ୟା କରିବାକୁ ସୀମା ଅତିକ୍ରମ କରିଥିବା ସ୍ବୀକାର କରିଛି। ସମ୍ପୃକ୍ତ ବ୍ୟକ୍ତିକୁ ‘ଆଇବି’, ‘ର’ (ରିସର୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ୍‌) ଏବଂ ସାମରିକ ଗୁଇନ୍ଦା ବିଭାଗ ଜେରା କରୁଛନ୍ତି।

ସମ୍ବନ୍ଧିତ ଖବର