ବାଂଲାଦେଶକୁ କଠୋରପନ୍ଥୀଙ୍କ କବ୍‌ଜାରେ ରଖିବାକୁ ଷଡ଼୍‌ଯନ୍ତ୍ର

ମୋଦୀଙ୍କ ବାଂଲା ଗସ୍ତକୁ ବିରୋଧ କରିବା ହେଫାଜତ୍‌-ଇ-ଇସଲାମ୍‌ର ବାହାନା ମାତ୍ର

ଢାକା: ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତକୁ ବିରୋଧ କରି ସେଠାରେ ଦେଖାଦେଇଥିବା ହିଂସାତ୍ମକ ବିଦ୍ରୋହ ଇସଲାମୀୟ କଠୋରପନ୍ଥୀ ସଂଗଠନ ହେଫାଜତ୍‌-ଇ-ଇସଲାମର ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଗତ ନଭେମ୍ବର ମାସରେ ଜୁନୈଦ ବାବୁ ନଗରି ଉକ୍ତ ସଂଗଠନର ଦାୟିତ୍ବଭାର ସମ୍ଭାଳିବା ପରଠାରୁ ସେ ଏପରି ନିଜର ଅସ୍ଥିତ୍ବକୁ ଜାହିର କରିବା ଲାଗି ଚେଷ୍ଟା ଚଳାଇ ଆସିଛି। ପାକିସ୍ତାନର ଜାମିଆ-ଉଲୁମ୍‌-ଇ-ଇସଲାମିଆରେ ଦୀର୍ଘ ୪ ବର୍ଷ କାଳ ବିଦ୍ୟାର୍ଥୀ ରହିଥିବା ବାବୁ ନଗରି ଶେଷରେ ସଂଗଠନର ମୁଖ୍ୟ ଅମିର ଶାହ ଅହମଦ ସାଫିଙ୍କର ଗତ ସେପ୍ଟେମ୍ବରରେ ମୃତ୍ୟୁ ପରେ ନିଜକୁ ମୁଖ୍ୟ ଭାବେ ଅବସ୍ଥାପିତ କରିଛି। ଇସଲାମକୁ ସୁରକ୍ଷା ଦେବାକୁ ଅଙ୍ଗୀକାରବଦ୍ଧ ବୋଲି ଦାବି କରୁଥିବା ଉକ୍ତ ସଂଗଠନ ବାସ୍ତବରେ ସାରା ବାଂଲାଦେଶକୁ କଠୋରପନ୍ଥୀଙ୍କ କବ୍‌ଜାରେ ରଖିବାକୁ ପ୍ରଚେଷ୍ଟା କରୁଛି ବୋଲି ଅନେକ ବିଶିଷ୍ଟ ବାଂଲାଦେଶୀ ସାମ୍ବାଦିକଙ୍କ ମତ।

ସୂଚନାନୁଯାୟୀ, ଖଲିଦା ଜିଆଙ୍କ ବାଂଲାଦେଶ ନାସନାଲିଷ୍ଟ ପାର୍ଟି (ବିଏନ୍‌ପି) ଓ ଅନ୍ୟତମ କଠୋରପନ୍ଥୀ ସଂଗଠନ ଜମାତ୍‌-ଇ-ଇସଲାମୀ ସହ ଗୁପ୍ତ ସମ୍ପର୍କ ରଖିଥିବା ବାବୁ ନଗରି ନିଜ କଠୋରପନ୍ଥୀ ସଂଗଠନକୁ ଏକ ରାଜନୈତିକ ଦଳରେ ପରିବର୍ତ୍ତନ କରିବାକୁ ଚାହୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଯଥେଷ୍ଟ ଆଗରୁ ହେଫାଜତ୍‌-ଇ-ଇସଲାମ ଘୋଷଣା କରିବା ସହ ଗତ ଶୁକ୍ରବାର ମୋଦୀଙ୍କ ଢାକା ପଦାର୍ପଣ ଅବସରରେ ସଂଗଠନ ପକ୍ଷରୁ ଢାକା ସ୍ଥିତ ଏକ ମସଜିଦ୍‌ ପରିଷଦରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା। ବିକ୍ଷୋଭ ଏତେ ଭୟଙ୍କର ହେବ ବୋଲି ବାଂଳା କର୍ତ୍ତୃପକ୍ଷ ଅନୁମାନ ଲଗାଇନଥିଲା ବେଳେ ଏହି କଠୋରପନ୍ଥୀ ସଂଗଠନ ସିଧା ସଳଖ ପୁଲିସ ଉପରେ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ରାସ୍ଥା ଅବରୋଧ ସହ ଗାଡ଼ି ପୋଡ଼ାଜଳା ଚଳାଇଥିଲା। ତେବେ ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସର ଏଭଳି ପଦକ୍ଷେପ ବିରୋଧରେ ଆସନ୍ତାକାଲି ସଂଗଠନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଏହାଦ୍ବାରା ଉକ୍ତ ସଂଗଠନ ଧର୍ମକୁ ରାଜନୀତି ସହ ଯୋଡ଼ି ଏକ କଠୋରପନ୍ଥୀ ବାଂଲାଦେଶ ଗଢ଼ିବାକୁ ଚାହୁଛି ବୋଲି ପର୍ଯ୍ୟବେକ୍ଷକମାନଙ୍କ ମତ।

ସମ୍ବନ୍ଧିତ ଖବର