ବେଙ୍ଗାଲୁରୁ: କର୍ଣ୍ଣାଟକ ଜମି ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ସୁପାରିସ ଝଡ଼ ସୃଷ୍ଟି କରିଛି। ସିଦ୍ଦରମେୟାଙ୍କ ରାଜନୈତିକ କ୍ୟାରିୟର ଶେଷ କରିଦେବାକୁ ବିଜେପି ଷଡ଼ଯନ୍ତ୍ର କରିଛି ଏବଂ ଏହାର ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ କହିଛି। ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ସଭାପତି ଡି କେ ଶିବକୁମାର ରବିବାର କହିଛନ୍ତି, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆସନ୍ତାକାଲି ବିକ୍ଷୋଭ ରାଲି କରାଯିବ। ଏଥିରେ ଦଳର ସମସ୍ତ ନେତା ଓ କର୍ମୀ ଯୋଗଦେବେ। ଶିବକୁମାର କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ସହ ଅସାମାଜିକ ତତ୍ତ୍ୱମାନେ ଯେପରି ରାଲିରେ ଅନୁପ୍ରବେଶ ନ କରିବେ ଏବଂ ଅସୁବିଧା ସୃଷ୍ଟି ନ କରିବେ ତାହା ସୁନିଶ୍ଚିତ କରିବାକୁ ସେ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ମହିଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷରେ ହୋଇଥିବା ଜାଗା ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେବା ପରେ ରାଜ୍ୟ ସରକାରରେ ସଙ୍କଟ ବଢ଼ିଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଅଗଷ୍ଟ ୨୨ରେ କଂଗ୍ରେସ ବିଧାୟକ ଦଳ (ସିଏଲ୍ପି) ବୈଠକ ଡକାଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ବୈଠକରେ ସିଦ୍ଦରମେୟା କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କର୍ଣ୍ଣାଟକ ଜମି ଆବଣ୍ଟନ ଦୁର୍ନୀତି
ମୁଖ୍ୟମନ୍ତ୍ରୀ ତତ୍କାଳ ଇସ୍ତଫା ଦିଅନ୍ତୁ: ବିଜେପି
କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ ଆଜି
ବିଧାୟକ ଦଳ ବୈଠକ ୨୨ରେ
ରାଜ୍ୟ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି, ରାଜ୍ୟପାଳଙ୍କ ଭୂମିକାକୁ ନେଇ ଅସ୍ଥିରତା ସୃଷ୍ଟି ହେଉଥିବାରୁ ଆମେ ଏହି ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଯିବୁ। ଏହା ସହିତ କଂଗ୍ରେସ ବିଧାୟକ ଦଳ ବୈଠକରେ ସମସ୍ତ ପ୍ରତିନିଧିଙ୍କ ମତାମତ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ‘ମୁଦା’ ଦୁର୍ନୀତି ମାମଲାରେ ଆଇନଗତ ଭାବେ ମାମଲା ଲଢ଼ିବା ପାଇଁ ଏବଂ ରାଜନୈତିକ ଭାବେ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ଅଗଷ୍ଟ ୨୨ ତାରିଖର ବୈଠକ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ସୁପାରିସ ପରେ ସିଦ୍ଦରମେୟାଙ୍କ ଇସ୍ତଫା ଦାବି ଜୋର ଧରିଛି। ସିଦ୍ଦରମେୟା ଇସ୍ତଫା ଦେବେନାହିଁ ବୋଲି ଘୋଷଣା କରିଥିବାରୁ ବିଜେପି ମଧ୍ୟ ଏହାକୁ ଅସ୍ତ୍ର କରି ଆନ୍ଦୋଳନ ପାଇଁ ସଜବାଜ ହେଉଛି। ମୁଖ୍ୟମନ୍ତ୍ରୀ ତତ୍କାଳ ଇସ୍ତଫା ଦିଅନ୍ତୁ, ଅନ୍ୟଥା ସେ ଜନଆକ୍ରୋଶର ସମ୍ମୁଖୀନ ହେବେ ବୋଲି ବିଜେପି ଆଜି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ପଦକ୍ଷେପ ବିରୋଧରେ କଂଗ୍ରେସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshsfshf.jpg)