ଗଣତନ୍ତ୍ର ଦିବସରେ ଏସପିଙ୍କ ଗୋଡ଼ତଳେ ବସି ଦୁଇଥର ଜୋତା ପିନ୍ଧାଇଲେ କନଷ୍ଟେବଳ

ପାଟନା: ବିହାରର ଅରୱଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଫଟୋ ଓ ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଗତ ବୁଧବାର ସକାଳେ ଅରୱଲରେ ଗଣତନ୍ତ୍ର ଦିବସରେ ଏସପି ତଥା ଡିଏମ୍ ଜାତୀୟ ପତାକା ଉତ୍କଳନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଏସପି ତ୍ରିରଙ୍ଗାକୁ ସମ୍ମାନ ଜଣାଇବା ସହିତ ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ଅର୍ପଣ କରିଥିଲେ। ଫୁଲ ଅର୍ପଣ କରି ଫେରିବା ସମୟରେ ସେ ଜୋତା ପିନ୍ଧିଥିଲେ। କିନ୍ତୁ ଜୋତାରେ କ’ଣ ଗୋଟେ ଫସି ରହିଥିବାରୁ ଏସପି ଜୋତା ପିନ୍ଧି ପାରି ନଥିଲେ।

ଅଧିକାରୀଙ୍କୁ ବିରକ୍ତ ହେବା ଦେଖି  କନଷ୍ଟେବଳ ତାଙ୍କ ନିକଟକୁ ଦୌଡ଼ି ଯାଇଥିଲେ। ଆଉ ଏସପିଙ୍କ ପାଦତଳେ ବସି ତାଙ୍କୁ ଜୋତା ପିନ୍ଧାଇବା ସହିତ ଜୋତା ଫିତାକୁ ବାନ୍ଧି ଦେଇଥିଲେ। ତେବେ ଏହା ଥରେ ନୁହେଁ କନଷ୍ଟେବଳ ଦ୍ବିତୀୟ ଥର ବି ଏସପିଙ୍କୁ ଜୋତା ପିନ୍ଧାଇଥ‌ିଲେ, ଯେତେବେଳେ କନଷ୍ଟେବଳ ବ୍ଲକ କାର୍ଯ୍ୟାଳୟ ପରିସରକୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ କରିବ‌ାକୁ ଯାଇଥିଲେ। ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଆଇପି ସଂସ୍କୃତିକୁ ଶେଷ କରିବା ନେଇ ଅନେକ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଧିକାରୀମାନଙ୍କୁ ସରଳତା ସହ ଜୀବନଯାପନ କରିବାକୁ ଅନୁରୋଧ କରିଛନ୍ତି, କିନ୍ତୁ ଖାକି ସାହେବ ଭିଆଇପି ମାନସିକତାରୁ ବାହାରି ପାରୁ ନାହାନ୍ତି। ଏହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

ସମ୍ବନ୍ଧିତ ଖବର