ମୃତ୍ୟୁ ପୂର୍ବରୁ କନେଷ୍ଟବଳ ହାତରେ ଲେଖିଦେଲେ ଅପରାଧୀଙ୍କ ଗାଡି ନମ୍ବର, ଖୋଜି ଧରିଲା ପୁଲିସ

ଚଣ୍ଡୀଗଡ଼: ମୃତ୍ୟୁ ପୂର୍ବରୁ ଦେଇଗଲେ ଗୁରୁତ୍ୱପୂର୍ଣ୍ଣ ସୁରାକ | ହାତରେ ଲେଖିଦେଲେ ଅପରାଧୀଙ୍କ ଗାଡି ନମ୍ବର | ଆଉ ଏହି ନମ୍ବରରୁ ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ | ହରିୟାଣାର ସୋନିପତରେ ଏଭଳି ଏକ ଘଟଣା ଘଟିଛି | ଯେଉଁଠି ଦୁଇ ଜଣ ପୁଲିସ କନେଷ୍ଟବଳଙ୍କୁ ଅପରାଧୀ ହତ୍ୟା କରିଥିଲେ ବି ସହଜରେ ଧରାପଡିଯାଇଛନ୍ତି | ସୋନିପତ ଆରକ୍ଷୀ ଅଧିକ୍ଷକ ଜସନଦୀପ ସିଂଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦୁଇ ଜଣ ପୁଲିସ କର୍ମୀ ପ୍ୟାଟ୍ରୋଲିଙ୍ଗ କରୁଥିବାବେଳେ ଅପରାଧୀଙ୍କ ଏକ ଗୋଷ୍ଠୀକୁ କିଛି ଯୋଜନା କରୁଥିବାର ଦେଖିବାକୁ ପାଇଥିଲେ |

ଏହା ଦେଖି ଜଣେ ପୁଲିସ କର୍ମୀ ନିଜ ହାତରେ ଗାଡିର ନମ୍ବରକୁ ଲେଖିଦେଇଥିଲେ | ତେବେ ଉଭୟ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରି ଅପରାଧୀ ଫେରାର ହୋଇଯାଇଥିଲେ | ଅପରାଧୀଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସଙ୍କର ମୃତ୍ୟୁ ହୋଇଯାଇଥିଲା | ଏହାପରେ ଯେତେବେଳେ ମୃତ ପୁଲିସ କର୍ମୀଙ୍କ ହାତରେ ଗାଡିର ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଥିଲା ସେତେବେଳେ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା | ଏହି ଗାଡିଟି ଜଣେ ଅପରାଧୀଙ୍କ ନାମରେ ରେଜିଷ୍ଟର ହୋଇଥିବାର ଜଣାପଡିଥିଲା |

photo-aajtak

ଗାଡି ନମ୍ବରରୁ ଅପରାଧୀର ଘର ଠିକଣା ଖୋଜାଯିବା ପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରିବା ପାଇଁ ଅପରେସନ କରାଯାଇଥିଲା | ତେବେ ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଏନକାଉଣ୍ଟରରେ ପ୍ରାଣ ହରାଇଛି | ବର୍ତ୍ତମାନ ଅନ୍ୟ ୪ ଜଣଙ୍କୁ ଖୋଜା ଯାଉଥିବାର ଏସପି ଜସନଦୀପ ସିଂ କହିଛନ୍ତି | ସେ କହିଛନ୍ତି ଯେ ଦୁଇ ଜଣ ସାହସୀ ପୁଲିସ କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନଙ୍କ ହତ୍ୟାକାରୀଙ୍କୁ ଧରିବାରେ ଆମେ ସକ୍ଷମ ହୋଇଛୁ |

ସମ୍ବନ୍ଧିତ ଖବର