ଅବହେଳା ପାଇଁ ଥାନା ଚାରିପଟେ ୧୦ ଥର ଦୌଡିଲେ ପାଞ୍ଚଜଣ କନେଷ୍ଟବଳ

ଲକ୍ଷ୍ନୌ: ନା ନିଲମ୍ବନ ନା ବହିଷ୍କାର, ଦାୟିତ୍ୱରେ ଅବହେଳା ପାଇଁ ଭିନ୍ନ ଧରଣର ଦଣ୍ଡ ଦେଲେ ଏସପି | ଦାୟିତ୍ୱରେ ଅବହେଳା ପାଇଁ ଆରକ୍ଷୀ ଅଧିକ୍ଷକ ୫ ଜଣ କନେଷ୍ଟବଳଙ୍କୁ ଥାନା ଚାରିପଟରେ ୧୦ ରାଉଣ୍ଡ ଦୌଡିବାକୁ ନିର୍ଦ୍ଦେଶ ଦେଇଥିଲେ | ଉତ୍ତରପ୍ରଦେଶର ଏକ ଥାନାରେ ଏସପିଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ବାରବାଙ୍କି ଏସପି ଯମୁନା ପ୍ରସାଦ ଜିଲ୍ଲାର ଦରିଆବାଦ ପୁଲିସ ଷ୍ଟେସନରେ ଅଚାନକ ପହଁଚିଯାଇଥିଲେ |

ଥାନାରେ ଥିବା ଫାଇଲ ଯାଞ୍ଚ କରିବା ସହ ପୁଲିସ ଗାଡିର ଅବସ୍ଥା ଦେଖି ବିରକ୍ତ ହୋଇଥିଲେ | ଅପରାଧୀକୁ ଧରିବାକୁ ଏହି ଗାଡି ଅକ୍ଷମ ହୋଇଥିବାର କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇନାହିଁ ବୋଲି କହିଥିଲେ | ଥାନା ଅଧିକାରୀଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୫ ଜଣ କନେଷ୍ଟବଳ ଦାୟିତ୍ୱରେ ଅବହେଳା କରୁଥିବାର ଏସପିଙ୍କ ନଜରକୁ ଆସିଥିଲା |

ଥାନାର ଦୁରାବସ୍ଥାକୁ ଦେଖି ଏସପି କନେଷ୍ଟବଳ ଗୁରୁମିତ ସିଂ, ରିହୁ ପଟେଲ, ମନୀଷଙ୍କ ସମେତ ପାଞ୍ଚଜଣ କନେଷ୍ଟବଳଙ୍କୁ ଥାନା ଚାରିପଟରେ ୧୦ ରାଉଣ୍ଡ ଦୌଡିବାକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏସପିଙ୍କ ନିର୍ଦ୍ଦେଶ ପରେ କନେଷ୍ଟବଳମାନେ ଥାନା ଚାରିପାଖରେ ଦୌଡ଼ିଥିଲେ |

ସମ୍ବନ୍ଧିତ ଖବର