ନୂଆଦିଲ୍ଲୀ: ବିଗତ ୭୦ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ର ଶକ୍ତିଶାଳୀ ହୋଇଛି ବୋଲି ଆଜି ୭୦ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସମ୍ବିଧାନ ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ସଠିକ୍ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ସଂସଦର ମିଳିତ ଅଧିବେଶନରେ ଆହ୍ବାନ ଜଣାଇଛନ୍ତି। ଲୋକମାନେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ଉଚିତ୍ ନ୍ୟାୟ ମିଳିବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସମ୍ବିଧାନରେ ଲେଖା ଅଛି ‘ଆମେ ଭାରତୀୟ’ (ୱି ଦି ପିପୁଲ୍ ଅଫ୍ ଇଣ୍ଡିଆ)। ଏଣୁ ଲୋକମାନେ ହିଁ ଦେଶର ଅସଲ ଶକ୍ତି, ପ୍ରେରଣା ଏବଂ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମିଳିତ ଅଧିବେଶନରେ କହିଛନ୍ତି।
ବିରୋଧୀ ଦଳଙ୍କ କକ୍ଷତ୍ୟାଗ
ମୋଦୀ ସରକାରରେ ହିଁ ବାରମ୍ବାର ସମ୍ବିଧାନ ଉଲ୍ଲଂଘନ ହୋଇଛି: ମନମୋହନ
ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ସମ୍ବିଧାନ ସୁରକ୍ଷିତ: ରାଷ୍ଟ୍ରପତି
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ସ୍ମରଣ କରି ମୋଦୀ କହିଥିଲେ ଯେ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଗାନ୍ଧି ଭଲ ଭାବେ ବୁଝିଥିଲେ। ଭାରତୀୟ ନାଗରିକ ଭାବେ ସମସ୍ତେ ଗର୍ବ କରିବା ଏବଂ ଜାତିକୁ ସମୃଦ୍ଧ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଥିଲେ। ସମ୍ବିଧାନ ପ୍ରଣେତା ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ଭାରତର ଐକ୍ୟ ଓ ସ୍ବାଭିମାନ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ଭାରତର ଗଣତନ୍ତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଗଣତନ୍ତ୍ର ବୋଲି କହିଥିଲେ। ଭାରତର ସମ୍ବିଧାନ ବିଶ୍ବର ଏହି ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ସୁରକ୍ଷିତ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ଉପ ରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଏଥିରେ ଉଦ୍ବୋଧନ ଦେଇ ଭାରତ ଏବେ ଦ୍ରୁତ ଭାବେ ବିକାଶ କରିବା ସହିତ ବିଶ୍ବ ଅର୍ଥନୀତିରେ ନିଜର ଆଧିପତ୍ୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ଆଜି ସଂସଦୀୟ ମିଳିତ ଅଧିବେଶନକୁ ସମ୍ବୋଧନ କରିବା ବେଳେ ବିରୋଧୀମାନେ କକ୍ଷ ତ୍ୟାଗ କରିଥିଲେ। ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଛି ଦର୍ଶାଇ ବିରୋଧୀ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦୀ ସରକାର ସମୟରେ ବାରମ୍ବାର ସମ୍ବିଧାନର ଉଲ୍ଲଂଘନ ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି।