ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ  ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ଅତି କମରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଭଗ୍ନ କୋଠାତଳେ ପ୍ରାୟ ୪୦ ଜଣ ଫସିରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା କରାଯାଉଛି। ନିକଟରେ ମୁମ୍ବାଇରେ ଫ୍ଳାଇ ଓଭର ଭୁଶୁଡ଼ିବା ଘଟଣା ମନରୁ ଯାଇନଥିବା ବେଳେ ଆଜିର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାନୁଯାୟୀ, ଉତ୍ତର ବେଙ୍ଗାଲୁରୁଠାରୁ ୪୦୦ କିମି ଦୂର ଧରଵାଡ଼ର କୁମାରେଶ୍ବର ନଗରରେ ଏହି କୋଠା ଭୁଶୁଡ଼ିପଡ଼ିଛି। ଗତ ୩ ବର୍ଷ ହେଲା ଉକ୍ତ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହାର ୨ଟି ମହଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ତୃତୀୟ ମହଲା କାର୍ଯ୍ୟ ଚାଲିଥିଲା। ତେବେ ପ୍ରଥମ ଦୁଇଟି ମହଲାରେ ୬୦ଟି ଦୋକାନ ଚାଲୁଥିଲା। କୋଠା ଭୁଶୁଡ଼ିବା ବେଳେ ସେଠାରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିଲେ ବୋଲି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣା ସ୍ଥଳରେ ୩ଟି ଏକ୍ସାଭେଟର ମୁତୟନ ରହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ବିଏସଏଫ୍‌ ଯବାନ ଏବଂ ଅଗ୍ନିଶମ ଦଳ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର