ସଂସଦରେ ଗୃହୀତ ହେଲା ଖାଉଟି ସୁରକ୍ଷା ବିଲ-୨୦୧୯ , ଖାଉଟିଙ୍କ ଅଭିଯୋଗର ତୁରନ୍ତ ଶୁଣାଣି ହେବ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ଖାଉଟି ସୁରକ୍ଷା ବିଲ-୨୦୧୯ ବାଚନିକ ଭୋଟରେ ଗୃହୀତ ହୋଇଛି । ଗତ ଜୁଲାଇ ୩୦ରେ ଏହା ଲୋକସଭାରେ ଗୃହୀତ ହୋଇଥିଲା । ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ ଲାଗୁ ହେବ ।

ଏହି ବିଲରେ ଖାଉଟିଙ୍କ ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । ଗ୍ରାହକ ବା ଖାଉଟିଙ୍କ ବିଭିନ୍ନ ପ୍ରକାରର ଅଭିଯୋଗର ତ୍ୱରିତ ଶୁଣାଣି ପାଇଁ ଏଥିରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି । ଏଥିରେ ମଧ୍ୟ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ବିବାଦ ସମାଧାନ ଆୟୋଗ ସ୍ଥାପନ ପାଇଁ ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ବିଭିନ୍ନ ତ୍ରୁଟିଯୁକ୍ତ ସେବା ଓ ଦ୍ରବ୍ୟ ବିକ୍ରୟ, ବିଭ୍ରାନ୍ତିକାରୀ ବିଜ୍ଞାପନ ଆଦି ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ଏହି ବିଲଟି ଗତ ବର୍ଷ ମଧ୍ୟ ଲୋକସଭାରେ ଆଗତ ହୋଇ ପାଶ ହୋଇଥଲା, କିନ୍ତୁ ରାଜ୍ୟସଭାରେ ଏହା ଅଟକି ରହିଯାଇଥିଲା । ସରକାର ଏହାକୁ ଗତ ଜୁଲାଇ ୮ରେ ପୁଣି ଥରେ ଲୋକସଭାରେ ଆଗତ କରିଥିଲେ ।

ସମ୍ବନ୍ଧିତ ଖବର