ସାନିଟାଇଜର ଦେବ, ମାପିବ ଶରୀରର ତାପମାତ୍ରା: ଏଭଳି କଣ୍ଟାକ୍ଟଲେସ ସ୍ମାର୍ଟ କୋଭିଡ ମେସିନ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ଯୁବକ ସଞ୍ଜୀବ ରାଉତ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଯୋଜନାରେ ଅନୁପ୍ରାଣିତ ଯୁବକଙ୍କ ଅଭିନବ ପ୍ରୟାସ....

ଭୁବନେଶ୍ୱର: କରୋନା ମହାମାରୀ ଏବେ ସାରା ଦେଶକୁ ଆତଙ୍କିତ କରିବା ସହ କବଳିତ କରି ରଖିଛି | ଏହାକୁ ହରାଇବା ପାଇଁ କୌଣସି ଟିକା ଏପର୍ଯ୍ୟନ୍ତ ବଜାରକୁ ଆସି ନଥିବା ବେଳେ; ଏକମାତ୍ର ଉପାୟ ରୂପେ ଲୋକମାନାଙ୍କୁ ମାସ୍କ ପିନ୍ଧି ସଚେତନ ରହିବା ପାଇଁ କହୁଛନ୍ତି ସରକାର | ଏଭଳି ସ୍ଥିତିରେ ଓଡ଼ିଶାରେ ଲାୟନ୍ସମିଲ ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ସଞ୍ଜୀବ ରାଉତ ଓ ତାଙ୍କ ସହଯୋଗୀ ସାର୍ଥକ ଦାସ ଏବଂ ଚିରଞ୍ଜିତ ପଟ୍ଟନାୟକ କଣ୍ଟାକ୍ଟଲେସ ସ୍ମାର୍ଟ କୋଭିଡ ସେଫଟି କିଓସ୍କ ମେସିନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି | ଓଡ଼ିଶାରେ ପ୍ରଥମ କରି ଏହି ମେସିନ ଭୁବନେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟ କେନ୍ଦ୍ରରେ ଲଗାଯାଇଛି |

ବର୍ତ୍ତମାନ ଆମେ କୌଣସି ମଲ ବା ଅଫିସକୁ ଗଲେ ସେଠାରେ ଥିବା ଜଣେ କର୍ମଚାରୀ ଆମର ଶରୀରର ତାପମାତ୍ରା ମାପିବା ସହ ସାନିଟାଇଜର ମଧ୍ୟ ଦେଉଛନ୍ତି | ଏହା ଦ୍ୱାରା ବେଳେ ବେଳେ ଆମେ ସେମାନଙ୍କ ସଂସ୍ପର୍ଶରେ ଆସୁଛେ | କିନ୍ତୁ ସଞ୍ଜିବ ରାଉତ ଓ ତାଙ୍କ ସହଯୋଗୀ ତିଆରି କରିଥିବା ଏହି କଣ୍ଟାକ୍ଟଲେସ ସ୍ମାର୍ଟ କୋଭିଡ ସେଫଟି କିଓସ୍କ ମେସିନ ଚଳାଇବା ପାଇଁ ଲୋକବଳର ଆବଶ୍ୟକତା ନାହିଁ | ଏହା ସ୍ୱୟଂଚାଳିତ | ଏହା ଲୋକଙ୍କ ଶରୀରର ତାପମାତ୍ରା ମାପିବା ସହ ଲୋକଙ୍କୁ ସାନିଟାଇଜର ମଧ୍ୟ ଯୋଗାଉଛି |

ଏହା ସହ କରୋନା ଠାରୁ ଦୂରରେ ରହିବା ପାଇଁ ଅନେକ ସଚେତନତାର ବାର୍ତ୍ତା ମଧ୍ୟ ଦେଉଛି | ଲାୟନ୍ସମିଲ ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ସଞ୍ଜୀବ ରାଉତଙ୍କ କହିବା ମୁତାବକ, ବିଭିନ୍ନ ମଲ ବା ଅଫିସରେ ଜଣେ ଲୋକକୁ ଶରୀରର ତାପମାତ୍ରା ମାପିବା ସହ ସାନିଟାଇଜର ଯୋଗାଇବା ପାଇଁ ରଖାଯାଉଛି | ଏହା ଦ୍ୱାରା ଆମେ ସେମାନଙ୍କ ସଂସ୍ପର୍ଶରେ ମଧ୍ୟ ଆସୁଛେ | ଏହା ଦେଖି ମୁଁ କଣ୍ଟାକ୍ଟଲେସ ସ୍ମାର୍ଟ କୋଭିଡ ସେଫଟି କିଓସ୍କ ମେସିନ ତିଆରି କରିବାକୁ ଚିନ୍ତା କରିଥିଲି, ଯାହାଦ୍ୱାରା ସଂକ୍ରମଣର ଭୟ କମ ରହିବ | ମୁଁ ଏବଂ ମୋ ସହଯୋଗୀ ତିଆରି କରିଥିବା ମେସିନଟି ସ୍ୱୟଂଚାଳିତ | ଏହି ମେସିନ ସାନିଟାଇଜର ଯୋଗାଇଦେବା ସହ ଶରୀରର ତାପମାତ୍ରା ମାପିବ, ମାସ୍କ ନ ପିନ୍ଧିଥିଲେ ସେ ନେଇ ସତର୍କ କରାଇବ, ଏହି ମେସିନକୁ ଲଗାଇଥିବା କମ୍ପାନି ବା ବିଭିନ୍ନ ବ୍ରାଣ୍ଡ ଏହି ମେସିନ ଜରିଆରେ ନିଜର ବିଜ୍ଞାପନ କରିପାରିବେ ଏବଂ ଏଥିରେ ଅଫିସର କର୍ମଚାରୀମାନେ ନିଜର ଉପସ୍ଥିତି ମଧ୍ୟ ଜାହିର କରି ପାରିବେ | ଏହାକୁ ତିଆରି କରିବାକୁ ଆମକୁ ୨ମାସ ସମୟ ଲାଗିଥିଲା | ଏହାର ଦାମ ଆମେ ୬୦-୭୦ହଜାର ଟଙ୍କା ରଖିଛୁ | ଯେ କେହି ଏହାକୁ ଅର୍ଡ଼ର କରିବାକୁ ଚାହିଁଲେ ଆମ ଲାୟନ୍ସମିଲ ପ୍ରାଇଭେଟ ଲିମିଟେଡ଼ର ଫେସବୁକ ପେଜକୁ ଯାଇ ଆମ ମୋବାଇଲ ନମ୍ବର ଜରିଆରେ ଆମକୁ ସମ୍ପର୍କ କରି ପାରିବେ |

ସମ୍ବନ୍ଧିତ ଖବର