ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବଢ଼ିଚାଲିଛି। ବେଜିଂ ସ୍ଥିତି ଅତି ଜଟିଳ ରହିଛି। ବେଜିଂରେ ହସ୍ପିଟାଲ୍ଗୁଡ଼ିକରେ ଆଉ ବେଡ୍ ମିଳୁନି। ଲୋକମାନେ ହସ୍ପିଟାଲ୍ ହଲ୍ୱେରେ ଷ୍ଟ୍ରେଚର୍ରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ହ୍ବିଲଚେୟାରରେ ଅକ୍ସିଜେନ୍ ନେଉଛନ୍ତି। ଗୁରୁବାର ବେଜିଂର ଚୁଆଙ୍ଗଲିଉ ହସ୍ପିଟାଲ୍ରେ ବେଡ୍ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। କିନ୍ତୁ ଏହାସତ୍ତ୍ବେ ବି ଗୁରୁତର ରୋଗୀ ସବୁ ହସ୍ପିଟାଲକୁ ଆସୁଥିବାରୁ ଡାକ୍ତର ଏବଂ ନର୍ସଙ୍କ ଉପରେ ଚାପ ବଢ଼ିଛି। ସେମାନେ ଅତି ଗୁରୁତର ରୋଗୀଙ୍କୁ ରଖି ସେମାନଙ୍କୁ ଯେ କୌଣସି ଉପାୟରେ ଚିକିତ୍ସା କରିବାପାଇଁ ବାଧ୍ୟ ହେଉଛନ୍ତି। ଗତ କିଛି ସପ୍ତାହ ଧରି ଚୀନ୍ରେ ଶ୍ମଶାନଗୁଡ଼ିକ ଭର୍ତ୍ତି ହୋଇଯାଇଛି ଏବଂ ହସ୍ପିଟାଲ୍ରେ ମଧ୍ୟ ଜାଗା ନାହିଁ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ସାପ୍ତାହିକ ରିପୋର୍ଟ ଅନୁଯାୟୀ ଜାନୁଆରୀ ୧ ସୁଦ୍ଧା ଚୀନ୍ର ସାପ୍ତାହିକ ନୂଆ କରୋନା ସଂକ୍ରମଣ ୨୧୮,୦୧୯ ରହିଥିଲା। ତେବେ ଚୀନ୍ ତଥ୍ୟ ଦେଉନଥିବାରୁ ସବୁକିଛି ଅନ୍ଧାରରେ ଅଛି। ଚୀନ୍ କରୋନା ତଥ୍ୟ ଲୁଚାଉଥିବାରୁ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି। ହୁ ଅନୁଯାୟୀ କରୋନାର ବିଏ.୫.୨ ଏବଂ ବିଏଫ୍.୭ ଓମିକ୍ରନ ଉପପ୍ରଜାତି ପାଇଁ ଚୀନ୍ରେ କରୋନା ସଂକ୍ରମଣ ବଢ଼ିଛି। ତଥ୍ୟ ଅନୁଯାୟୀ ଚୀନ୍ରେ ଆଉ ନୂଆ କରୋନା ପ୍ରଜାତି ଚିହ୍ନଟ ହୋଇନି। କିନ୍ତୁ ଚୀନ୍ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଲୁଚାଉଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।