ଡିସେମ୍ବର ଗାଇଡଲାଇନ୍ : କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ପରୀକ୍ଷା, ପ୍ରୋଟୋକଲ୍ ଅନୁଯାୟୀ ହେବ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ : ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ବଳବତ୍ତର ରହିବ।

ଏହି ଗାଇଡଲାଇନର ମୁଖ୍ୟ ଲକ୍ଷ୍ୟ ହେଉଛି କରୋନା ସଂକ୍ରମଣ  ବିସ୍ତାର ବିରୁଦ୍ଧରେ ହାସଲ ହୋଇଥିବା ବହୁମୂଲ୍ୟ ଲାଭକୁ ସଂରକ୍ଷିତ କରିବା। କାରଣ ଦେଶରେ ସକ୍ରିୟ ମାମଲାଗୁଡ଼ିକ କ୍ରମାଗତ ହ୍ରାସ ପାଉଥିବା ଦୃଶ୍ୟମାନ ହେଉଛି | କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପାର୍ବଣ ଋତୁ ଏବଂ ଶୀତଋତୁ  ଆରମ୍ଭକୁ ଦୃଷ୍ଟିରେ ରଖି ଏହାକୁ ଗୁରୁତ୍ବୁ  ଦିଆଯାଇଛି ଯେ ମହାମାରୀକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସତର୍କତା ଅବଲମ୍ବନ କରିବା ଏବଂ ନିର୍ଦ୍ଦିଷ୍ଟ  ରଣନୀତିକୁ  କଡାକଡି ପାଳନ କରିବା ଆବଶ୍ୟକ। ଗୃହ  ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଓ ଏସଓପିର କଡା ପାଳନ ଉପରେ ଧ୍ୟାନ ଦିଆଯିବ।

ଏହି ପରିପ୍ରେକ୍ଷୀରେ  ସ୍ବାସ୍ଥ୍ୟ ମନ୍ତ୍ରାଳୟର  ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ। କଣ୍ଟେନମେଣ୍ଟ ଜୋନର ତାଲିକା ୱେବସାଇଟରେ ସମ୍ପୃକ୍ତ ଜିଲ୍ଲା କଲେକ୍ଟର ଏବଂ ରାଜ୍ୟ  ଦ୍ୱାରା ସୂଚିତ କରାଯିବ ।

DNA India

କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ | ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡା ନିୟନ୍ତ୍ରଣ ରହିବ|ଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ।  ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ।

କୋଭିଡ୍ ପଜିଟିଭ୍ ଚିହ୍ନଟ ସବୁ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ । କେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। କରୋନା ରୋଗୀଙ୍କର ଅତିକମରେ ୮୦ ଭାଗ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ଏଥିସହ  ରୋଗୀମାନଙ୍କୁ ଯଥା  ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯଦି ସେ ଘରେ ଆଇସୋଲେସନରେ ରହିବାକୁ ଚାହାନ୍ତି ତେବେ ସେ ଘରେ ରହିବେ। ତୁରନ୍ତ ତାଙ୍କୁ ସେ ସୁବିଧା ଦିଆଯିବ। ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ନ ଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯିବ।

କଣ୍ଟେନମେଣ୍ଟ ଜୋନରେ ଯେଭଳି କଡାକଡି ଭାବରେ ନିୟମ  ପାଳନ କରାଯାଏ ତାହା ସ୍ଥାନୀୟ ପ୍ରଶାସନ, ଜିଲ୍ଲା  ପୁଲିସ ପ୍ରଶାସନ  ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଯଦି ଏଥିରେ ଅବହେଳା ସାମ୍ନାକୁ ଆସେ ତେବେ  ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ ଓ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର