ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ‘ଟିଭି ସୋ’ ରେ ଅଦାଲତ ଅବମାନନା ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ରାକେଶ ଗଦାଧର ବରାଳଙ୍କ ଦ୍ବାରା ଚଳିତ ମାସ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ପିଟିସନ୍ ଦାଖଲ କରାଯାଇଥିଲା।
ଶ୍ରୀ ବରାଳ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ମାମଲାରେ ଜୁନ୍ ୩ରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ସଂଧ୍ୟାରେ ପ୍ରସାରଣ କରାଯାଇଥିବା ପ୍ରାଇମ ଟାଇମ ଟିଭି ‘ଟକ୍ ସୋ’ରେ ବଡ଼ ଖବର ନିଉଜ ଚ୍ୟାନେଲ ସଂପାଦକ ଦାବି କରୁଥିବା ଅର୍ଦ୍ଧେନ୍ଦୁ ଦାସଙ୍କ ଦ୍ବାରା ନିନ୍ଦନୀୟ ମନ୍ତବ୍ୟ ଦିଆଯାଇଥିଲା। ଖଣ୍ଡପୀଠର ଜଣେ ବିଚାରପତିଙ୍କୁ ବଦନାମ କରାଯିବା ପାଇଁ ପ୍ରୟାସ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କ ମନ୍ତବ୍ୟକୁ ପିଟିସନରେ ଉଲ୍ଲେଖ କରାଯାଇଛି। ଟିଭି ସୋ ରେ ଭାଗ ନେଇଥିବା ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ମନ୍ତବ୍ୟରେ ମଧ୍ୟ ଅଦାଲତ ଅବମାନନା ହୋଇଛି। ‘ଟିଭି ସୋ’ରେ ସମ୍ମାନୀୟ ବିଚାରପତିମାନଙ୍କୁ ସେମାନଙ୍କ ନ୍ୟାୟିକ କ୍ଷମତାରେ ପକ୍ଷପାତିତା କରିଥିବା ନେଇ ବର୍ଣ୍ଣନା କରାଯାଇଥିଲା ବୋଲି ପିଟିସନରେ ଦର୍ଶାଯାଇଛି। ଏହାର ସମସ୍ତ ପ୍ରତିଲିପିକୁ ପିଟିସନରେ ସଂଲଗ୍ନ କରାଯାଇଛି। ଦୁଇଜଣଙ୍କ ବିରୋଧରେ ଅଦାଲତ ଅବମାମନା ଆଇନ ୧୯୭୧ ର ଧାରା ୧୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି।
ଆଜି ଶ୍ରୀ ବରାଳଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଆଇନଜୀବୀ ଶିବଶଙ୍କର ମିଶ୍ର ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇଙ୍କ ଖଣ୍ଡପୀଠରେ ଅଦାଲତ ଅବମାନନା ସମ୍ପର୍କିତ ପିଟିସନ୍ର ତ୍ବରିତ ଶୁଣାଣି ପାଇଁ ଉଲ୍ଲେଖ କରିଥିଲେ। ଖଣ୍ଡପୀଠଙ୍କୁ ସେ କହିଥିଲେ ଯେ ଏମାନେ ଅଦାଲତ ବିରୋଧରେ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହାକୁ ସେ ଖୋଲା କୋର୍ଟରେ ପ୍ରକାଶ କରିପାରିବେ ନାହିଁ। ପିଟିସନକୁ ଅଧ୍ୟୟନ କରିବା ପାଇଁ ସେ ବିଚାରପତିଙ୍କୁ ଅନୁରୋଧ କରି ପଦକ୍ଷେପ ନେବା ପାଇଁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/supreme-court.jpg)