ନୂଆଦିଲ୍ଲୀ: ସୁଏଜ କେନାଲରେ ହୋଇଥିବା ଜାମକୁ ହଟାଇବାକୁ ଏବେ ପ୍ରୟାସ ଆରମ୍ଭ ହୋଇଯାଇଛି | ଇଜିପ୍ଟର ସୁଏଜ କେନାଲରେ ଫସି ରହିଥିବା ବିଶାଳ କାର୍ଗୋ କଣ୍ଟେନର ଜାହାଜକୁ ସ୍ଥାନାନ୍ତର କରିବାର କାମ ଆରମ୍ଭ ହୋଇଛି। ଜାହାଜଟିକୁ ଫସିଥିବା ସ୍ଥାନରୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଏହି କାର୍ଯ୍ୟ କେବେ ଶେଷ ହେବ ସେ ନେଇ କିଛି କୁହାଯାଇପାରିବ ନାହିଁ ବୋଲି ସୁଏଜ କେନାଲ କର୍ତ୍ତୃପକ୍ଷ କହିଛନ୍ତି | ତାଜା ସୂଚନା ମୁତାବକ ଜାହାଜଟି ଫସିରହିଥିବା ଯୋଗୁଁ ୩୨୧ଟି ଜାହାଜ ସମୁଦ୍ରରେ ଅଟକି ରହିଛନ୍ତି |

Advertisment

କୁହାଯାଉଛି ଯେ ଯଦି ଜାହାଜଟିକୁ ଶୀଘ୍ର ହଟାଯାଏ ନାହିଁ, ତେବେ ୟୁରୋପରେ ତେଲ ଏବଂ ଗ୍ୟାସ ସଙ୍କଟ ଦେଖା ଦେଇପାରେ | ବର୍ତ୍ତମାନ ସୁଏଜ କେନାଲରେ ଅଟକିଥିବା ଏଭର ଗ୍ରୀନ ମାଲବାହୀ ଜାହାଜରୁ କଣ୍ଟେନର ଗୁଡିକୁ କାଢ଼ିବା କାମ ଆରମ୍ଭ ହୋଇଯାଇଛି | ସୁଏଜ କେନାଲ ପ୍ରାଧିକରଣର ମୁଖ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଅବଦୁଲ ଫତ୍ତାହ ଅଲ-ସିସି ଜାହାଜ ହଟାଇବା ପାଇଁ ଏଥିରେ ଥିବା କଣ୍ଟେନରଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁଏଜ କେନାଲ ଭୂମଧ୍ୟ ସାଗରକୁ ଲୋହିତ ସାଗର ସହ ଯୋଡ଼ିଥାଏ । ବିଶ୍ବ ବାଣିଜ୍ୟ ପାଇଁ ଏହି କେନାଲର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ କାରଣ ବିଶ୍ବ ବାଣିଜ୍ୟର ପ୍ରାୟ ୨୦ ପ୍ରତିଶତ କାରବାର ଏହି କେନାଲ ଦେଇ ଯାତାୟାତ କରିଥାଏ । ମଧ୍ୟଏସିଆର ତେଲ ଓ ଗ୍ୟାସ ଏହି ବାଟ ଦେଇ ୟୁରୋପରେ ପହଞ୍ଚିଥାଏ । ସେହିପରି ୟୁରୋପର ବିଭିନ୍ନ ପଣ୍ୟଦ୍ରବ୍ୟ ଏହି କେନାଲ ବାଟ ଦେଇ ଏସିଆରେ ପହଞ୍ଚିଥାଏ । ଏଣୁ ଏହି ସ୍ଥାନରେ ଟ୍ରାଫିକ ଜାମ ହେବା ସମଗ୍ର ବିଶ୍ବ ବାଣିଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।