ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣରେ ମଣିଷଖିଆ ମହାବଳ ବାଘକୁ ଠାବ କରିବାରେ ବିଫଳ ୩୦୦ ସରକାରୀ କର୍ମଚାରୀ

ବଗହା: ବିହାର ଅନ୍ତର୍ଗତ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ ଆଖପାଖରେ ଥିବା ଗାଁରୁ ଗତ ୬ ମାସରେ ୬ଜଣ ଲୋକଙ୍କୁ ମାରିଥିବା ଗୋଟାଏ ମହାବଳ ବାଘକୁ ଠାବ କରିବାରେ ୩୦୦ ସରକାରୀ କର୍ମଚାରୀ ବିଫଳ ହୋଇଛନ୍ତି।

୧୮ ଦିନ ହେବ ମଣିଷମରା ବାଘ ସନ୍ଧାନରେ ବାହାରି ଥିବା ୩୦୦ ସରକାରୀ କର୍ମଚାରୀଙ୍କ ଦଳରେ ଅଛନ୍ତି ଅନୁସରଣକାରୀ, ଉଦ୍ଧାରକାରୀ, ଜଣେ ସାର୍ପସୁଟର୍‌, ପ୍ରାଣୀ ଚିକିତ୍ସକ ଏବଂ ବନ ବିଭାଗର ଯବାନମାନେ। ଶୁକ୍ରବାର ଦିନ ମହାବଳ ବାଘଟି ଗୋବର୍ଦ୍ଧନ ଫରେଷ୍ଟ୍‌ ରେଞ୍ଜ୍‌ ଅନ୍ତର୍ଗତ ଡୁଙ୍ଗ୍ରାପୁର ଗାଁରେ ଦେଖା ଦେଇଥିଲା।

Image Courtesy of Times of India

‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ର ନିର୍ଦେଶକ ନେସାମନି କେ. କହିଛନ୍ତି, ବାଘଟି ପ୍ରାୟ ୩ ବର୍ଷର ହେବ। ସମ୍ଭବତଃ ‘ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ’ରେ ଥିବା ପ୍ରାପ୍ତ ବୟସ୍କ ବାଘମାନେ ତାକୁ ଜବରଦସ୍ତି ବଣରୁ ନିକାଲି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ଦିନ ହେବ ଜନବସତି ନିକଟରେ ରହିବାରୁ ବାଘଟିର ଖାଦ୍ୟାଭ୍ୟାସ ପରିବର୍ତ୍ତନ ଘଟିଥାଇ ପାରେ।

ଏହାଛଡ଼ା, ତା’ ଦେହରେ କ୍ଷତ ଚିହ୍ନ ଥିବାରୁ ଆମର ମନେହୁଏ, ହରନାତର୍ଦ ଫରେଷ୍ଟ୍‌ ରେଞ୍ଜ୍‌ରେ ଅନ୍ୟ ପ୍ରାପ୍ତ ବୟସ୍କ ବାଘମାନଙ୍କ ସହିତ ଲଢ଼େଇ କରି ସେ ଆହତ ହୋଇଛି। ତାକୁ ଗୋଡ଼ାଇ ଗୋଡ଼ାଇ ଘଞ୍ଚ ଅରଣ୍ୟକୁ ନେଇଯିବାକୁ କିଂବା ଧରିବାକୁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ।

ସେ ଆହୁରି ମଧ୍ୟ କହିଛନ୍ତି, ଶେଷ ଥର ପାଇଁ ସେ ମହାବଳ ବାଘ ଦେଖା ଦେଇଥିବା ଡୁଙ୍ଗ୍ରାପୁର ଗାଁ ଭିତରେ ଓ ବାହାରେ ପ୍ରାୟ ୨ ବର୍ଗ କିଲୋମିଟର୍‌ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଘେରାଉ କରିଛନ୍ତି। ବନାଞ୍ଚଳକୁ ନ ଯିବା ପାଇଁ ସ୍ଥାନୀୟ ଜନତାଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର