ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ବିହାର ସରକାରଙ୍କୁ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଉପରେ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। ଗତ କିଛି ମାସ ମଧ୍ୟରେ ନିୟମିତ ବ୍ୟବଧାନରେ ରାଜ୍ୟରେ ୧୦ ପୋଲ ଭୁଶୁଡ଼ିବା ପରେ ରାଜ୍ୟର ସମସ୍ତ ପୋଲଗୁଡ଼ିକର ଭିତ୍ତିଭୂମି ଅଡିଟ୍ କରିବାକୁ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କହିଛନ୍ତି। ବିହାରରେ ଲଗାତାର ଭୁଶୁଡିପଡିଥିବା ପୋଲଗୁଡ଼ିକର ତଦନ୍ତ ପାଇଁ ଏକ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ବ୍ରଜେଶ ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ପିଆଇଏଲ ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିହାର ସରକାରଙ୍କୁ ନୋଟିସ ପଠାଇଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଭିତ୍ତିଭୂମି ଅଡିଟ୍ କରିବା ଏବଂ ପୋଲ ଚିହ୍ନଟ କରିବା ପାଇଁ ବିହାର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରାଯାଇଛି। ଏହି କମିଟିର ଅଡିଟ୍ ଫଳାଫଳକୁ ଭିତ୍ତି କରି ପୋଲ ମରାମତି ହୋଇପାରିବ କି ନାହିଁ ତାହାର ସୂଚନା ପ୍ରଦାନ କରାଯିବ। ଏହାପରେ ପୋଲକୁ ଭଙ୍ଗାଯିବ କି ପୁନର୍ନିର୍ମାଣ କରାଯିବ ତାହା ସ୍ଥିର ହେବ।

ଆଇନଜୀବୀ ବ୍ରଜେଶ ସିଂ ଗତ ମାସରେ ଏହି ଆବେଦନ କରିଥିଲେ। ସିଂ ତାଙ୍କ ଆବେଦନରେ ପ୍ରବଳ ବର୍ଷା ହେବାର ୧୬ ଦିନ ମଧ୍ୟରେ ୧୦ ଟି ପୋଲ ଭୁଶୁଡ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି।

ବ୍ରଜେଶ ସିଂ ଲେଖିଛନ୍ତି ଯେ ୧୦ ଦିନ ମଧ୍ୟରେ ସିୱାନ, ସରାନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରଣ ଏବଂ କିଶାନଗଞ୍ଜ ଜିଲ୍ଲାରେ ପୋଲ ଭୁଶୁଡି ପଡିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଡ଼କ ନିର୍ମାଣ ଏବଂ ଗ୍ରାମୀଣ କାର୍ଯ୍ୟ ବିଭାଗକୁ ରାଜ୍ୟର ପୁରୁଣା ପୋଲଗୁଡିକର ମୂଲ୍ୟାଙ୍କନ କରିବା ଏବଂ ତୁରନ୍ତ ମରାମତି ଆବଶ୍ୟକ କରୁଥିବା ପୋଲକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।