ସିମଲା: ବର୍ଷାରେ ବେହାଲ ହିମାଚଳ ପ୍ରଦେଶ । ଆକାଶରୁ ମୂଷଳଧାରରେ ବର୍ଷା ଏମିତି ହେଉଛି ଯେ କମିବାର ନାଁ ଧରୁନି । ଆଉ ବର୍ଷାର ଅଘୋଷିତ କର୍ଫ୍ୟୁ ପାଇଁ ହିମାଚଳର ସ୍ଥିତି ସୁଧୁରୁନି । ପରିସ୍ଥିତି ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ବିଗିଡିବାକୁ ଲାଗୁଛି । ସବୁଠି ପାଣିର ପ୍ରଳୟ, କେଉଁଠି ନଦୀ ଫୁଲି ସ୍ଥଳଭାଗ ମୁହାଁ ହେଲାଣି ତ କେଉଁଠି ଜଳ ହିମାଚଳର କିଛି ଜିଲ୍ଲାକୁ ଘେରାବନ୍ଦୀ କରି ରଖିଲାଣି । ଗୋଟେ ପଟେ ଜଳ ବି ଗର୍ଜନ କରି ମାଡି ଆସୁଛି, ଅନ୍ୟପଟେ ଜୀବନ ବି ଉଦ୍ଧାର ପାଇଁ ଚିତ୍କାର କରୁଛି.. ହିମାଚଳରେ ଏବେ ପୂରା ହାହାକାର ଖେଳିଯାଇଛି । 

Advertisment

ପାହାଡ଼ ରାଣୀ ଭାବେ ପରିଚିତ ହିମାଚଳରେ ତାଣ୍ଡବ ରଚୁଛି ପ୍ରକୃତି । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି କରିଛି । ବର୍ଷାରେ ଅନେକ ଘର ଧୋଇ ଯାଇଛି । ରାମପୁରର ଏକ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି ।

ସେପଟେ କୁଲ୍ଲୁର ସ୍ଥିତି ବି ସଙ୍ଗୀନ । ପାର୍ବତୀ ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି । ହିମାଚଳର ୧୩୦ରୁ ଅଧିକ ଅଞ୍ଚଳରେ ବିଦ୍ୟୁତ ସେବା ଠପ୍ ହୋଇଯାଇଛି । ୬୦୦ରୁ ଅଧିକ ଟ୍ରାନ୍ସଫରମର ବନ୍ଦ ହୋଇଛି । ୨୬୧ରୁ ଅଧିକ ରାସ୍ତାରେ ବନ୍ୟା ଜଳ ମାଡିଯିବାରୁ ଏବଂ ଭୂସ୍ଖଳନ ପରେ ପାହାଡ ଧସି ଯାଇଛି । ଫଳରେ ଯାତାୟତ ବନ୍ଦ ରହିଛି । ବର୍ଷା ପାଇଁ ଗତ ୧୦ ଦିନରେ ମୃତ୍ୟୁ ସଂଖ୍ୟା ୪୪ ରେ ପହଞ୍ଚିଛି । 

ପ୍ରକୃତିର ତାଣ୍ଡବ ଲୀଳାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି । ଏଠାରେ ଭୟଙ୍କୟ ହୋଇଛି ବର୍ଷା ବିତ୍ପାତ । ମୌସୁମୀ ଜନିତ ଲଗାଣ ବର୍ଷା ପରେ ମଣ୍ଡି ମୁଣ୍ଡରେ ଚଡକ ପଡିଛି । ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ମଣ୍ଡି ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଲୋକେ ରାତି ଅନିଦ୍ରା ରହିଛନ୍ତି । ଧିରେଧିରେ ବର୍ଷା ପାଣି ନଦୀରେ ଫୁଲୁଥିବାରୁ ନଦୀ ସ୍ଥଳଭାଗ ମୁହାଁ ହେବା ପରେ ଅନେକ ଘର ବୁଡିଛି । ଗୋଟେ ପରିବାର ନାଳରେ ଭାସି ଯାଇଥିବାର ଖବର ମଧ୍ଯ ଆସୁଛି । ମଣ୍ଡିରେ ଏମିତି କୌଣସି ସ୍ଥାନ ନାହିଁ ଯାହା ପ୍ରକୃତିର କରାଳ ରୂପ ଆଗରେ କ୍ଷତିଗ୍ରସ୍ତ ହୋଇନି । ଅନେକ ଘର ବର୍ଷାରେ ଭାଙ୍ଗି ଯାଇଛି ତ କିଛି ଘରେ ପାଣି ପଶି ଯାଇଛି । କେଉଁଠି ପାହାଡ ଧସି ରାସ୍ତା ବନ୍ଦ ହୋଇଛି ତ କେଉଁଠି ପାହାଡ ଘର ଉପରେ ଧସି ଯାଇଛି ଆଉ ବଡ ବଡ ଗାଡି ସବୁ ପଥର ମାଡରେ ଚୁନା ହୋଇ ଯାଇଛି । 

ପ୍ରବଳ ବର୍ଷା ପରେ ପାଣିର ସ୍ରୋତରେ ରାସ୍ତା ଧୋଇ ଯାଇଛି । ୨୪ ଘଣ୍ଟାରେ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ୧୮ ଜଣଙ୍କ ପତ୍ତା ମିଳୁନି । ୩୯ ଜଣଙ୍କୁ ପାଣି ପାଟିରୁ ଉଦ୍ଧାର କରାଯାଇଛି । ମଣ୍ଡିରେ ଲଗାତାର ୧୫ ଘଣ୍ଟା ଧରି ବର୍ଷା ଢାଳୁଥିବାରୁ ସ୍ଥିତି ସଙ୍ଗୀନ ହେଉଥିବା ଦେଖି ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ନଦୀର କରାଳ ରୂପ ଦେଖି ଲୋକ ଭୟଭୀତ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଆହତ ହୋଇଛନ୍ତି । ସେହିପରି ନଦୀରେ ହଠାତ୍ ବନ୍ୟା ଆସିବାରୁ ଅନେକ ନିଖୋଜ ଅଛନ୍ତି ।