ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନନ୍ତ କୁମାର ହେଗ୍ଡେଙ୍କୁ ଆଜି ବିଜେପି କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦଳର କେନ୍ଦ୍ରୀୟ ନେତୃତ୍ବ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ନେଇ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ନଳିନ କୁମାର କାଟିଲ ସୂଚନା ଦେଇଛନ୍ତି। ଅପରପକ୍ଷେ, ସାଂସଦଙ୍କ ଏଭଳି ବିବାଦୀୟ ବୟାନ ପାଇଁ ଦଳ ବହୁ ମାତ୍ରାରେ ବଦନାମ ହୋଇଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଗାନ୍ଧୀଙ୍କ ବିରୋଧରେ କୌଣସି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏଣୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦଳ ପକ୍ଷରୁ ସାଂସଦଙ୍କ ଉପରେ ଚାପ ପକାଯାଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ସାଂସଦ ହେଗ୍ଡେ ବେଙ୍ଗାଲୁରୁଠାରେ ଏକ ସଭାରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିଲେ। ଗାନ୍ଧୀଙ୍କ ସ୍ବାଧୀନତା ଆନ୍ଦୋଳନକୁ ସେ ‘ଡ୍ରାମା’ ବୋଲି କହିଥିଲେ। ବ୍ରିଟିସମାନଙ୍କ ସମର୍ଥନ ଓ ପରାମର୍ଶ ଅନୁସାରେ ଗାନ୍ଧୀଙ୍କ ଆନ୍ଦୋଳନ ଚାଲିଥିଲା। ଗାନ୍ଧୀଙ୍କ ସତ୍ୟାଗ୍ରହ ଯୋଗୁଁ ବ୍ରିଟିଶ ଦେଶ ଛାଡ଼ି ନଥିଲେ ବରଂ ସେମାନେ ନିଜ ଇଚ୍ଛାରେ ଦେଶ ଛାଡ଼ିଥିଲେ। ଦେଶ ସ୍ବାଧୀନତାରେ ବିଶେଷ ଭୂମିକା ନଥିବା ବ୍ୟକ୍ତିଙ୍କୁ କାହିଁକି ‘ମହାତ୍ମା’ କୁହାଯାଉଛି ବୋଲି ସାଂସଦ ପ୍ରଶ୍ନ ଉଠାଇଥିଲେ। ହେଗ୍ଡେଙ୍କ ଏହି ବିବାଦୀୟ ବୟାନ ଯୋଗୁଁ ଦଳ ବଦନାମ ହେଉଛି। ବିଭିନ୍ନ ମହଲରୁ ବିଜେପି ଉପରେ ଚାପ ବୃଦ୍ଧି ପାଇଛି। ଏଣୁ ଦଳର ଭାବମୂର୍ତ୍ତିକୁ ସୁଧାରିବା ଉଦ୍ଦେଶ୍ୟରେ ଦଳ ସାଂସଦଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ: ହେଗ୍ଡେଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ
/sambad/media/post_attachments/wp-content/uploads/2020/02/135857-vzsfiryvid-1580742247.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)