ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଜୀବନୀ ଆଧାରିତ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ରର ସୁଟିଂ ଏବେ ଲଣ୍ଡନରେ ଚାଲିଥିବା ବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ଡ. ସିଂହ ଏବଂ କଂଗ୍ରେସ ଦଳ ସଭାପତିଙ୍କଠାରୁ ଅନୁମତି ନିଆଯିବା ଆବଶ୍ୟକ ବେଲି ପୂର୍ବତନ ସେନ୍ସର ବୋର୍ଡ ମୁଖ୍ୟ ପହଲାଜ ନେହଲାନୀ କହିଥିଲେ। ମାତ୍ର ଏଯାବତ୍ ତାଙ୍କଠାରୁ ଏହି ଚଳଚ୍ଚିତ୍ର ପାଇଁ ଅନୁମତି ନିଆଯାଇ ନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପୁଣିଥରେ ୟୁପିଏ ସମୟରେ ମନମୋହନଙ୍କୁ କଂଗ୍ରେସ ଦଳ କିଭଳି ଏକ ଢାଲ ଭାବେ ବ୍ୟବହାର କରୁଥିଲା ତାହା ଦେଶବାସୀ ଦେଖିବେ ବୋଲି ବିଜେପି କହିଛି। ମନମୋହନଙ୍କ ଆଖି ସାମ୍ନାରେ ଟୁଜି ଦୁର୍ନୀତି, କୋଇଲା ଦୁର୍ନୀତି କିଭଳି ହୋଇଥିଲା, ତାହା ସାମ୍ନାକୁ ଆସିବ ବୋଲି ବିଜେପି କହିବା ପରେ ଏହାକୁ କଂଗ୍ରେସ ବିରୋଧ କରିଛି। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରାଜନେତା ମନମୋହନ ସିଂହଙ୍କ ଜୀବନୀକୁ ନେଇ ସଞ୍ଜୟ ବାରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଆଧାରରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଅଭିନେତା ଅନୁପମ୍ ଖେର ଏହି ଚଳଚ୍ଚିତ୍ରରେ ମନମୋହନଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ଜର୍ମାନ୍ ଅଭିନେତ୍ରୀ ସୁଜୈନ୍ ବର୍ନେଟ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ବଲିଉଡ ଅଭିନେତ୍ରୀ ଆହାନା କୁମ୍ରାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକାରେ ଓ ଅର୍ଜ୍ଜୁନ ମାଥୁରଙ୍କୁ ରାହୁଲ ଗାନ୍ଧୀଙ୍କ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ହଂସଲ ମେହତା ଓ ବିଜୟ ଗୁଟ୍ଟେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଡିସେମ୍ବର ୨୧ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ସମ୍ଭାବନା ରହିଛି। ତେବେ କଂଗ୍ରେସ ଏହାକୁ ବିରୋଧ କରିବାକୁ ମଧ୍ୟ ସଜବାଜ ହେଉଛି।
ବିବାଦରେ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’
/sambad/media/post_attachments/wp-content/uploads/2018/04/sonia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)