ବିବାଦରେ ରାଜ୍ୟପାଳ

ନୂଆଦିଲ୍ଲୀ: ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥାଇ ବିଜେପିକୁ ସରକାର ଗଠନ ପାଇଁ ଡାକିଥିବା କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା ଏବେ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ତେବେ ରାଜ୍ୟପାଳ ବଜୁଭାଇ ବାଲା ଜଣେ ବିଜେପି ନେତା ହୋଇଥିବାରୁ ସେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ବୋଲି ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ଜାହିର କରି କହିଛନ୍ତି। ତେବେ କେବଳ ବଜୁଭାଇ ବାଲା ନୁହନ୍ତି ଆହୁରି ଅନେକ ବିଜେପି ନେତା ମଧ୍ୟ ରାଜ୍ୟପାଳ ହେବାପରେ ବିବାଦ ଘେରରେ ରହିଛନ୍ତି।

କେଶରୀ ନାଥ ତ୍ରିପାଠୀ, ପଶ୍ଚିମ ବଙ୍ଗ: ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠି ପୂର୍ବରୁ ଉତ୍ତରପ୍ରଦେଶ ବିଜେପି ସଭାପତି ଥିଲେ ଏବଂ କୋଲକାତା ରାଜଭବନକୁ ଯିବା ପୂର୍ବରୁ ସେ ୟୁପି ବିଧାନସଭାରେ ୩ ଥର ବାଚସ୍ପତି ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ନେଇ କିଛି କଠୋର କଥା କହିଥିଲେ ବୋଲି ମମତା ଅଭିଯୋଗ କରିଥିଲେ। ରାଜ୍ୟପାଳଙ୍କ ଆଚରଣ ଅତ୍ୟନ୍ତ ବେପରୁଆ ଏବଂ ଖାପଛଡ଼ା ଥିଲା ବୋଲି ମମତା ଅଭିଯୋଗ କରିଥିଲେ।

ଜଗଦୀଶ ମୁଖୀ, ଆସାମ: ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ଜଗଦୀଶ ମୁଖୀ ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। ତେବେ ଆସାମରେ ରାଜ୍ୟପାଳ ଭାବେ ସେ ବିଶାଳ ଉତ୍ସବରେ ଶପଥ ଗ୍ରହଣ କରିବା ସମୟରେ ହରିୟାଣାରୁ ୨୦୦ରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ହେବା ଘଟଣାକୁ ନେଇ ସେ କଡ଼ା ସମାଲୋଚନାର ଶିକାର ହୋଇଥିଲେ।

ଆନନ୍ଦିବେନ୍‌ ପଟେଲ୍‌, ମଧ୍ୟପ୍ରଦେଶ:

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ ମଧ୍ୟ ଜଣେ ବିଜେପି ନେତ୍ରୀ। ରାଜ୍ୟପାଳ ନିଯୁକ୍ତି ହେବାପରେ ମଧ୍ୟ ଦଳ ପାଇଁ ତାଙ୍କର ଦରଦ କମିନାହିଁ। ନିକଟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି କର୍ମୀମାନଙ୍କୁ ଭୋଟ୍‌ ପାଇବାର କୌଶଳ ବତାଉଥିବା ନେଇ ଆନନ୍ଦିବେନ୍‌ଙ୍କର ଏକ ଭିଡିଓ ଭାଇରାଲ୍‌ ହେବାପରେ ସେ ବିବାଦ ଘେରକୁ ଆସିଥିଲେ।

ବନଓ୍ଵରିଲାଲ୍‌ ପୁରୋହିତ, ତାମିଲନାଡ଼ୁ: ବନଓ୍ଵରିଲାଲ୍‌ ପୁରୋହିତ ୧୯୮୪ ଏବଂ ୧୯୯୧ ମସିହାରେ ଦୁଇଥର କଂଗ୍ରେସ ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହେବାପରେ ସେ ୧୯୯୧ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ତେବେ ଗତ ସେପ୍ଟେମ୍ବରରେ ତାମିଲନାଡ଼ୁ ରାଜ୍ୟପାଳ ହୋଇଥିବା ପୁରୋହିତ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ମହିଳା ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ବିବାଦ ଘେରରେ ରହିଥିଲେ।

ମୃଦୁଳା ସିହ୍ନା, ଗୋଆ:

ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ମୃଦୁଳା ସିହ୍ନାଙ୍କୁ ଅଗଷ୍ଟ ୨୦୧୪ ମସିହାରେ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ରାଜ୍ୟପାଳ ସିହ୍ନା ବିଜେପିକୁ ସରକାର ଗଢ଼ିବାକୁ ଡାକି ବିବାଦରେ ରହିଥିଲେ। କଂଗ୍ରେସକୁ ଏଠାରେ ନିରାଶ ହେବାକୁ ପଡ଼ିଥିଲା।

ସିଏଚ୍‌ ବିଦ୍ୟାସାଗର, ମହାରାଷ୍ଟ୍ର: ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ସିଏଚ୍‌ ବିଦ୍ୟାସାଗର କରିମନଗରରୁ ଦୁଇଥର ବିଜେପି ସାଂସଦ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଯେତେବେଳେ ସେ ତାମିଲନାଡ଼ୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ସେ ସମୟରେ ସେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଳାଙ୍କ ବିୟୋଗ ପରେ ଶଶିକଳାଙ୍କୁ ସରକାର ଗଢ଼ିବାପାଇଁ ଆମନ୍ତ୍ରଣ ନକରି ବିଜେପିକୁ ଅଧିକ ସମର୍ଥନ କରୁଥିବା ପଲାନିସ୍ୱାମୀଙ୍କୁ ସରକାର ଗଢ଼ିବାପାଇଁ ଡାକିଥିଲେ।

ପଦ୍ମନାଭ ଆଚାର୍ଯ୍ୟ, ନାଗାଲାଣ୍ଡ:

ନାଗାଲାଣ୍ଡର ରାଜ୍ୟପାଳ ହେବା ପୂବରୁ ବହୁଦିନ ଧରି ବିଜେପି କର୍ମୀଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ଆଚାର୍ଯ୍ୟ ଯେତେବେଳେ ଆସାମାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ସେ ସମୟରେ ସେ ଘୋଷଣା କରିଥିଲେ ଯେ ‘ହିନ୍ଦୁସ୍ତାନ କେବଳ ହିନ୍ଦୁ ମାନଙ୍କ ପାଇଁ।’ ଏହାକୁ ନେଇ ସେ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ବଳରାମ ଦାସ ଟଣ୍ଡନ, ଛତିିଶଗଡ଼ ପଞ୍ଜାବର ବିଜେପି ନେତା ଛତିଶଗଡ଼ ରାଜ୍ୟପାଳ ହେବାପରେ ଡକ୍ଟର ରମଣ ସିଂହଙ୍କ ବିଜେପି ସରକାରର ପକ୍ଷ ନେଉଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ ଆଣିଥିଲା। କଂଗ୍ରେସ ନେତାମାନେ କହିଥିଲେ ରାଜ୍ୟପାଳ ନିରପେକ୍ଷ ରହିବା ଉଚିତ୍‌। କିନ୍ତୁ ଏହାପରେ ଏକ ସାକ୍ଷାତକାରରେ ଟଣ୍ଡନ କହିଥିଲେ ଯେ ବିରୋଧୀ ଦଳଙ୍କ କାର୍ଯ୍ୟ ହେଉଛି ବିରୋଧ କରିବା।

ଗଙ୍ଗା ପ୍ରସାଦ, ମେଘାଳୟ: ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦ ମଧ୍ୟ ଗୋଆ ରାଜ୍ୟପାଳଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଚଳିତ ବର୍ଷର ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ କଂଗ୍ରେସକୁ ସରକାର ଗଢ଼ିବାପାଇଁ ଡାକିନଥିଲେ। ଏହା ବଦଳରେ ପ୍ରସାଦ କନରାଡ଼ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟିକୁ ବିଜେପି ସମର୍ଥନରେ ସରକାର ଗଢ଼ିବାପାଇଁ ଡାକିଥିଲେ।

ତଥାଗତ ରାୟ, ତ୍ରିପୁରା
ତ୍ରିପୁରା ରାଜ୍ୟପାଳ ହେବା ପୂର୍ବରୁ ପଶ୍ଚିମବଂଗରେ ବିଜେପିର ଟାଣୁଆ ନେତା ଥିଲେ ତଥାଗତ ରାୟ। ରାଜ୍ୟପାଳ ହେବାପରେ ମଧ୍ୟ ସେ ତୁହାକୁ ତୁହା ବିବାଦୀୟ ଟ୍ଵିଟ୍‌ କରି ଚର୍ଚ୍ଚାରେ ରହିଛନ୍ତି। ନିଜକୁ ଜଣେ ଦକ୍ଷିଣପନ୍ଥୀ ହିନ୍ଦୁ ଚିନ୍ତକ ଓ ହିନ୍ଦୁ ଆଦର୍ଶବାଦୀ ବୋଲି ସେ ଘୋଷଣା କରି ବିବାଦ ସୃଷ୍ଟି କରିଥିଲେ।

ନଜମା ହେପାତୁଲ୍ଲା
କଂଗେସ ଛାଡ଼ି ବିଜେପିକୁ ଆସିଥିବା ନଜମା ହେପାତୁଲ୍ଲା ୭୫ ବର୍ଷରେ ପଦାର୍ପଣ କରିବା ପରେ ମୋଦି ମନ୍ତ୍ରିମଣ୍ଡଳରୁ ବିଦା ହୋଇ ମଣିପୁର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ବର୍ଷ ମଣିପୁର ବିଧାନସଭାରେ ୬୦ ଆସନରୁ କଂଗ୍ରେସ ୨୮ ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ସେ କଂଗ୍ରେସକୁ ସରକାର ଗଠନ ପାଇଁ ଡାକିନଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି (୨୧ ଆସନ)କୁ ଆମନ୍ତ୍ରଣ କରିଥିଲେ। ଏଠାରେ ବିଜେପି ଅନ୍ୟ ଦଳଙ୍କ ସହାୟତାରେ ସରକାର ଗଠନ କରିଛି।

ସମ୍ବନ୍ଧିତ ଖବର