ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କିଙ୍ଗଡାଓଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମ୍ମିଳନୀ ଅବସରରେ ଚୀନ୍ ପ୍ରତିପକ୍ଷ ଆଡମିରାଲ ଡୋଙ୍ଗ ଜୁନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସୀମା ଉତ୍ତେଜନା ହ୍ରାସ ଓ ଚୀନ୍ ସହ ଉତ୍ତମ କୂଟନୈତିକ ସମ୍ପର୍କ ପାଇଁ ଏକ ୪-ସୂତ୍ରୀ ପରାମର୍ଶ ଦେଇଛନ୍ତି। ଏହି ୪-ସୂତ୍ରୀ ଫର୍ମୁଲାରେ ରହିଛି: ୨୦୨୪ ସେନା ପ୍ରତ୍ୟାହାରକୁ ପାଳନ କରିବା, ଉତ୍ତେଜନା ହ୍ରାସ ପାଇଁ ନିରନ୍ତର ପ୍ରୟାସ କରିବା, ସୀମା ନିର୍ଦ୍ଧାରଣ ଓ ସୀମା ଚିହ୍ନଟ ଲକ୍ଷ୍ୟ ହାସଲ ପାଇଁ ତ୍ୱରାନ୍ୱିତ ପ୍ରୟାସ ଏବଂ ମତଭେଦ ପରିଚାଳନା ସହ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ବର୍ତ୍ତମାନର ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବ୍ୟବସ୍ଥାର ବ୍ୟବହାର କରିବା।
ଏହି ବୈଠକରେ ରାଜନାଥ ସିଂହ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏହି ପରିପ୍ରେକ୍ଷୀରେ ଅପରେସନ ସିନ୍ଦୂର ଏବେ ଏହି ପ୍ରସଙ୍ଗରେ ଭାରତର ନୀତିଗତ ଆଭିମୁଖ୍ୟ ବୋଲି ସେ କହିଛନ୍ତି। ବୈଠକ ପରେ ଏକ୍ସରେ ଏକ ଫଟୋ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀ ଉଭୟ ନୂଆଦିଲ୍ଲୀ ଓ ବେଜିଂ କୂଟନୈତିକ ସମ୍ପର୍କରେ ସକାରାତ୍ମକ ଗତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାୟ ୬ ବର୍ଷର ବ୍ୟବଧାନ ପରେ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ଆଡମିରାଲ ଡୋଙ୍ଗ ଜୁନ୍ଙ୍କୁ ଏକ ମଧୁବନୀ ଚିତ୍ର ପ୍ରଦାନ କରିଥିଲେ। ପୂର୍ବ ରାଜ୍ୟର ମିଥିଳା ଅଞ୍ଚଳରୁ ଉତ୍ପନ୍ନ ହୋଇଥିବା ଏହି ଚିତ୍ରକଳାରେ ରେଖାଚିତ୍ର ଓ ଉଜ୍ଜ୍ୱଳ ରଙ୍ଗ ରହିଛି। ଚୀନ୍ର ଏକ ବିବୃତି ଅନୁଯାୟୀ, ଭାରତ ବେଜିଂ ସହ କୌଣସି ସଂଘର୍ଷ କରିବାକୁ ଚାହୁନାହିଁ ଏବଂ ଯୋଗାଯୋଗ ଓ ପାରସ୍ପରିକ ବିଶ୍ୱାସ ବଢ଼ାଉଛି। ଆତଙ୍କବାଦ ଓ ପହଲଗାମ ହତ୍ୟାକାଣ୍ଡ ସମ୍ପର୍କରେ ଭାରତର ଆଭିମୁଖ୍ୟକୁ ଉପେକ୍ଷା କରାଯାଇଥିବାରୁ ଏବଂ ବଲୁଚିସ୍ତାନ ଉତ୍ତେଜନା ପାଇଁ ଭାରତକୁ ଅଯଥା ଦୋଷାରୋପ କରାଯାଇଥିବାରୁ ଏସ୍ସିଓ ଦସ୍ତାବିଜରେ ଦସ୍ତଖତ କରିବାକୁ ସିଂହ ମନା କରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି।