ନୂଆଦିଲ୍ଲୀ: ‘ଦୈନନ୍ଦିନ ଜୀବନଯାପନରେ ମାଦକ (ଡ୍ରଗ୍)ର ଆବଶ୍ୟକତା ରହିଛି। ମାତ୍ରା ଭିତରେ ରହି ତାହା ସେବନ କରାଯାଇପାରେ। ଟିକସ ଆଦାୟ କରି ଗୁଟ୍ଖା, ପାନମସଲା ଏବଂ ତମାଖୁଜାତ ଦ୍ରବ୍ୟ ବିକ୍ରିକୁ ଅନୁମତି ଦିଆଯିବା ପରି ଡ୍ରଗ୍କୁ ବି ଅନୁମତି ଦିଆଯିବ ଉଚିତ।’ ଆର୍ୟନ୍ ଖାନ୍ଙ୍କ ମାମଲାକୁ ନେଇ ସାରା ଦେଶ ଉଠୁଥିବା ପଡ଼ୁଥିବା ବେଳେ ବରିଷ୍ଠ ସୁପ୍ରିମ୍କୋର୍ଟ ଆଇନଜୀବୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ କେଟିଏସ୍ ତୁଳସୀଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚା ସୃଷ୍ଟି କରିଛି। ବୁଧବାର ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍କାର ଦେଇ କେଟିଏସ୍ ତୁଳସୀ କହିଛନ୍ତି, ମାଦକ ପ୍ରତ୍ୟେକଙ୍କର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ।
ଏହା ଯନ୍ତ୍ରଣା ଲାଘବ କରେ। ଗୁଟ୍ଖା, ତମାଖୁ ମଧ୍ୟ ଶରୀରର କ୍ଷତି କରେ। ଯଦି ଟଙ୍କା ନେଇ ଏଗୁଡ଼ିକ ଖାଇବାକୁ ଅନୁମତି ଦିଆଯାଇପାରେ, ତା’ହେଲେ ମାଦକ (ଡ୍ରଗ୍) ନୁହେଁ କାହିଁକି? ଟିକସ ନେଇ ଡ୍ରଗ୍ସ ବିକ୍ରିର ଅନୁମତି ରହିଛି। ବହୁ ଅନୁଷ୍ଠାନରେ ଔଷଧ ମାଧ୍ୟମରେ ଡ୍ରଗ୍ ନିଆହୁଏ। ଯଦି ଏହା ପ୍ରୟୋଜନୀୟ ହୁଏ, ତା’ହେଲେ ଏହାର ବ୍ୟବହାର ପାଇଁ କାହିଁକି ଅନୁମତି ମିଳିବ ନାହିଁ? ତାଙ୍କ ମତରେ ଏନ୍ଡିପିଏସ୍ (ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରପିକ୍ ସବ୍ଷ୍ଟାନ୍ସେସ୍ ଆକ୍ଟ, ୧୯୮୫)ର ସଂଶୋଧନ କରି ଏହି ନିୟମ ଚାଲୁ କରିବା ଉଚିତ। ନ ହେଲେ ବହୁ ଲୋକଙ୍କ ପାଖରେ ଏହି ଆଇନ ଏକ ଅତ୍ୟାଚାର ପରି ହୋଇ ରହିଥିବ ବୋଲି ସେ କହିଛନ୍ତି।