ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଶଙ୍କରାଚାର୍ଯ୍ୟ ଘୋଷଣା କରାଯିବାକୁ ନେଇ ଦେଖାଦେଲା ବିବାଦ

ହରିଦ୍ୱାର: ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ପରେ ତାଙ୍କ ଶିଷ୍ୟ ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଶଙ୍କରାଚାର୍ଯ୍ୟ ଘୋଷଣା କରିବା ନେଇ ଏକ ବିବାଦ ଦେଖାଦେଇଛି। ସମସ୍ତ ସାତ ଦଶନାମୀ ସନ୍ୟାସୀ ଆଖଡ଼ା ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ଭାବରେ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ନିରଂଜନି ଆଖଡ଼ାର ସଚିବ ତଥା ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ରବିନ୍ଦ୍ରପୁରୀ କହିଛନ୍ତି ଯେ ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ଭାବରେ ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଘୋଷଣା କରାଯିବା ନିୟମ ବିରୁଦ୍ଧ ହୋଇଥିବାବେଳେ ଖୁବ୍ ଶୀଘ୍ର ସମସ୍ତ ସନ୍ୟାସୀ ଆଖଡ଼ା ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ନୂତନ ଶଙ୍କରାଚାର୍ଯ୍ୟ କିଏ ହେବେ ତାହା ସ୍ଥିର କରିବେ ।

ସୂଚନା ଥାଉ କି ଜ୍ୟୋତିଷପୀଠ ଓ ଦ୍ଵାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ପରେ ତାଙ୍କ ଇଚ୍ଛା ମୁତାବକ ଶିଷ୍ୟ ସୁବୁଦ୍ଧାନନ୍ଦ, ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ନୂତନ ଶଙ୍କରାଚାର୍ଯ୍ୟ ଭାବରେ ଘୋଷଣା କରିଥିଲେ। ଆଉ ତାଙ୍କୁ ଶଙ୍କରାଚାର୍ଯ୍ୟ ଭାବେ ଘୋଷଣା କରାଯିବା ପରେ ସମସ୍ତ ଦଶନାମୀ ସନ୍ୟାସୀ ଆଖଡ଼ା ନାରାଜ ଅଛନ୍ତି |

ମହନ୍ତ ରବିନ୍ଦ୍ରପୁରୀ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ନିଯୁକ୍ତି ପାଇଁ ଏକ ପ୍ରକ୍ରିୟା ଅଛି ଏବଂ ସନ୍ୟାସୀ ଆଖଡ଼ାଙ୍କ ସହମତି ପରେ କାଶୀ ବିଦ୍ୱାନ ପରିଷଦ ଶଙ୍କରାଚାର୍ଯ୍ୟ ନିଯୁକ୍ତ କରିଥାଏ । ଉଲ୍ଲେଖ ଥାଉ କି ଜ୍ୟୋତିଷପୀଠ ଓ ଦ୍ଵାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ଭାବରେ ଦୁଇ ଶଙ୍କରାଚାର୍ଯ୍ୟଙ୍କ ନିଯୁକ୍ତି ଘୋଷଣା କରାଯାଇଥିଲା। ତା’ପରେ ଦ୍ୱାରକା-ଶାରଦା ପୀଠରେ ସ୍ୱାମୀ ସଦାନନ୍ଦ ଏବଂ ଜ୍ୟୋତିଷ ପୀଠରେ ସ୍ୱାମୀ ଅବିମୁକ୍ତେଶ୍ବରାନନ୍ଦଙ୍କୁ ଶଙ୍କରାଚାର୍ଯ୍ୟ ଭାବେ ଘୋଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର