ମାତ୍ର ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି
କାହିଁକି ନିଷ୍ପତ୍ତି ନେଲେ, ପୁଣି ପ୍ରତ୍ୟାହାର କଲେ?
ଶ୍ରୀମନ୍ଦିର ସାମ୍ନାରୁ କଡ଼ା ବାର୍ତା ଦେଲେ ନବୀନ
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି-ବିଜେପି ସାଂସଦ

Advertisment

ଭୁବନେଶ୍ବର/ନୂଆଦିଲ୍ଲୀ/ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ ବା ଉପନିୟମକୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି। ଏହି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ରାଜନୈତିକ ଚାପ, ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ବିରୋଧ ଆଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ମୁଣ୍ଡ ନୁଆଁଇଛି। ଆଜି ସନ୍ଧ୍ୟାରେ ଏନ୍‌ଏମ୍୍‌ଏ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଗୋଟିଏ ବର୍ଷ ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସଂପର୍କିତ ଦୁଇଟି ଘଟଣା ସୂଚାଇ ଦେଇଛି ଯେ ସାଧାରଣ ଲୋକଙ୍କ ଭାବାବେଗ ସହିତ ମହାପ୍ରଭୁ କେତେ ଯୋଡ଼ି ହୋଇଅଛନ୍ତି ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ କେନ୍ଦ୍ର ବା ରାଜ୍ୟ, କାହାର ମନମାନି ଗ୍ରହଣଯୋଗ୍ୟ ନୁହେଁ।

ଗତ ଜୁଲାଇ ମାସରେ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏକପାଖିଆ ନିଷ୍ପତ୍ତିକୁ ବଡ଼ ଝଟ୍‌କା ଲାଗିଥିଲା। ଏବେ ପ୍ରସ୍ତାବିତ ବାଇ-ଲ’ କ୍ଷେତ୍ରରେ କେନ୍ଦ୍ରକୁ ଅନୁରୂପ ଫଳ ଭୋଗିବାକୁ ପଡ଼ିଛି। କେବଳ ସେତିକି ନୁହେଁ, ସବୁ ମହଲରେ ଏବେ ପ୍ରଶ୍ନ ଉଠିଛି ଯେ ୨୪ଘଣ୍ଟାର କମ୍ପନରେ ଯଦି କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତିରୁ ଓହରିଗଲେ, ତେବେ କେଉଁ ଆଧାରରେ ଓ କାହା ନିର୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଥିଲା? ନିଷ୍ପତ୍ତି ନେଲେ କାହିଁକି ଓ ବିବଦମାନ ସ୍ଥିତିରେ ପ୍ରତ୍ୟାହାର କାହିଁକି କଲେ? ତାହା ରାଜନୈତିକ ମହଲକୁ ବିସ୍ମିତ କରୁଛି।

ଅନ୍ୟପକ୍ଷରେ ପ୍ରସ୍ତାବିତ ଏହି ବାଇ-ଲ’କୁ ପ୍ରତ୍ୟାହାର ଲାଗି ଉଭୟ ବିଜେଡି-ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରିଥିବା ପରିପ୍ରେକ୍ଷୀରେ କାହାକୁ ଶ୍ରେୟ ଯିବ, େସ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରବିବାର ଏହି ପ୍ରସଙ୍ଗକୁ ବିରୋଧ କରି ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେବକମାନେ ରାସ୍ତାକୁ ଓହ୍ଲାଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଓ ଦେବୋତ୍ତର କମିସନର ସି ଆର୍ ମହାପାତ୍ର ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଆପତ୍ତି ଜଣାଇଥିଲେ।

ଆଜି ସକାଳେ ଏହି ପ୍ରସଙ୍ଗ ଅଧିକ ଜଟିଳ ରୂପ ଧାରଣ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ପୁରୀ ଯାଇ ଶ୍ରୀମନ୍ଦିର ସାମ୍ନାରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଡ଼ା ପ୍ରତିକ୍ରିୟା ଦେଇଥିଲେ। କହିଥିଲେ ଯେ ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀ ସେମାନଙ୍କ ଶହ ଶହ ବର୍ଷର ଭିଟାମାଟିକୁ ସମର୍ପି ଦେଇଛନ୍ତି। ପୁରୀବାସୀଙ୍କ ଏହି ବଳିଦାନ କେବେ ବି ବିଫଳ ଯିବନାହିଁ। ଶ୍ରୀମନ୍ଦିର ବିକାଶ ସୁନିଶ୍ଚିତ। କେହି ବି ଶ୍ରୀମନ୍ଦିରର ଏହି ବିକାଶକୁ ଅଟକାଇ ପାରିବେନାହିଁ। କେନ୍ଦ୍ର ସରକାରଙ୍କ ଜାତୀୟ କୀର୍ତ୍ତିରାଜ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରିବା ଉଚିତ୍ ବୋଲି ସେ ଦୃଢ ମତପୋଷଣ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ।

ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟରରେ ପୁରୀରେ ଓହ୍ଲାଇବା ପରେ କାର ଯୋଗେ ଶ୍ରୀମନ୍ଦିରଠାରେ ପହଞ୍ଚିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ଅଧଘଣ୍ଟା ରହି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ କି କରୋନା ମହାମାରୀ ଭିତରେ ସେ ଆଜି ପ୍ରଥମ ଥର ଶ୍ରୀମନ୍ଦିର ବୁଲି ଆସିଥିଲେ। ମହାପ୍ରଭୁଙ୍କ ନିକଟରେ ସେ ଓଡ଼ିଶାବାସୀଙ୍କ ଶାନ୍ତି ଓ ଉନ୍ନତି କାମନା କରିଛନ୍ତି। ଏହି ସମୟରେ ଜୟ ଜଗନ୍ନାଥ ଧ୍ବନୀରେ ଆଖପାଖ ପ୍ରକମ୍ପିତ ହୋଇଯାଇଥିଲା। ଏହି ଅବସରରେ ପୁରୀ ବିକାଶମୂଳକ କାର୍ଯ୍ୟ ସଂପର୍କରେ ବି ମୁଖ୍ୟମନ୍ତ୍ରୀ ବୁଝିଥିଲେ।

ସେପଟେ ନୂଆଦିଲ୍ଲୀରେ ବି ଏହି ପ୍ରସଙ୍ଗର ତାତି କିଛି କମ୍ ନଥିଲା। ଯଦିଓ ଏମ୍‌ଏସ୍‌ପି ଏବଂ ସ୍ବାମୀନାଥନ୍ କମିଟି ରିପୋର୍ଟ ସଂପର୍କରେ ସଂସଦରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିରେ ଅଛନ୍ତି, ମହାପ୍ରଭୁଙ୍କ ପାଇଁ ଉଭୟଙ୍କ ଆଭିମୁଖ୍ୟ କିନ୍ତୁ ଏକ ଥିଲା। ବିଜେପି ଓ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍‌ଙ୍କୁ ଭେଟି ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହା ପରେ ବାଇ-ଲ’ ପ୍ରତ୍ୟାହୃତ ହୋଇଥିବା ନେଇ ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପ୍ରସ୍ତାବିତ ବାଇ-ଲ’ ସଂପର୍କିତ ବିଜ୍ଞପ୍ତି ଏନ୍‌ଏମ୍‌ଏ ଅଧ୍ୟକ୍ଷଙ୍କ ବିନା ଅବଗତିରେ ଜାରି କରାଯାଇଥିବାରୁ ଏହାକୁ ତତ୍କାଳ ପ୍ରତ୍ୟାହାର କରାଯାଉଛି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ବିଜେପିର ୩ ସାଂସଦ ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ ଓ ଅଶ୍ବିନୀ ବୈଷ୍ଣବ ତଥା ରାଜ୍ୟସଭାର ଦୁଇଜଣ ମନୋନୀତ ସାଂସଦ ସୋନାଲ ମାନସିଂହ ଓ ରଘୁନାଥ ମହାପାତ୍ର ମନ୍ତ୍ରୀ ଶ୍ରୀ ପଟେଲ୍‌ଙ୍କୁ ସାକ୍ଷାତ କରି ବାଇଲ’କୁ ସ୍ଥଗିତ ରଖିବା ପାଇଁ ଦାବି ରଖିଥିଲେ। ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ସଂସ୍କୃତି ମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ଲାଗି ସେମାନେ ଜଣାଇଥିଲେ। ଆଲୋଚନା ବେଳେ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶନିବାର ଦିନ ଶ୍ରୀ ପ୍ରଧାନ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କ ସହିତ କଥା ହୋଇଥିବା ଜଣାଇଥିଲେ।

ଏହାପରେ ବିଜେଡିର ଲୋକସଭାର ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ବିଜେଡି ସାଂସଦ ପ୍ରତିନିଧିଦଳ େକନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ସେବେ ମନ୍ତ୍ରୀ ଶ୍ରୀ ପଟେଲ ଏନ୍‌ଏମ୍‌ଏ ଅଧ୍ୟକ୍ଷଙ୍କ ଅଜାଣତରେ ବାଇଲ’ ନୋଟିସ୍ ହୋଇଥିବା ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ। ଏହାକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦିଆଯାଇସାରିଥିବା ମନ୍ତ୍ରୀ ଜଣାଇଥିଲେ। ଏହି ପ୍ରତିନିଧି ଦଳରେ ସାଂସଦ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି, ମଞ୍ଜୁଲତା ମଣ୍ଡଳ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଜିତ୍ କୁମାର, ମୁନା ଖାଁ ପ୍ରମୁଖ ସାମିଲ ହୋଇଥିଲେ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସବୁ ମହଲରେ ଆଶ୍ବସ୍ତି ଆଣିଛି। ହେଲେ ରାଜନୈତିକ ମହଲ କିନ୍ତୁ ଏହି ପ୍ରସଙ୍ଗଟିକୁ ଭିନ୍ନ ଦୃଷ୍ଟିରୁ ଗ୍ରହଣ କରିଛନ୍ତି। କାହିଁକି ଓ କାହା ନିର୍ଦେଶରେ ଏହି ବାଇ-ଲ’ ପ୍ରସ୍ତୁତ କରାଗଲା ଓ ପୁଣି କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଲେ? ସର୍ବୋପରି ଗୋଟିଏ ସମ୍ବେଦନଶୀଳ ବାଇ-ଲ’ ଉପରେ ସର୍ବସାଧାରଣଙ୍କ ମତାମତ ଲୋ଼ଡ଼ାଗଲା। ଅଥଚ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଜାଣିପାରିଲେନି କେମିତି? କାହା ଇସାରାରେ ହଠାତ୍ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା? ଏସବୁ ପ୍ରଶ୍ନ ଆସନ୍ତାଦିନ ପାଇଁ ଚର୍ଚ୍ଚାରେ ରହିବ ବୋଲି ଏହି ମହଲରେ ମତ ପ୍ରକାଶ ପାଇଛି।