ପରିତ୍ୟାଗ, ଛାଡ଼ପତ୍ର, ଜାତିଭେଦ: ବ୍ରିଟେନ୍‌ ରାଜ ପରିବାରର ବିବାଦୀୟ ଅଧ୍ୟାୟ

ଲଣ୍ଡନ : ଦୀର୍ଘ ଦଶନ୍ଧି ଧରି ବ୍ରିଟେନ ରାଜ ପରିବାରରେ ଅନେକ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ତ୍ୟାଗ, ଛାଡ଼ପତ୍ର, ଜାତିଭେଦ ଆଦି ମାମଲା ରାଜ ପରିବାରକୁ ଅନେକ ସମୟରେ ଦୋହଲାଇ ଦେଇଛି। ୧୯୫୨ରେ ଏଲିଜାବେଥ କ୍ଷମତା ଗ୍ରହଣ କରିବା ପୂର୍ବରୁ ତାଙ୍କ ବାପା ଜର୍ଜ‌୍‌ ଷଷ୍ଠ କେବଳ ଆଉ ଜଣଙ୍କ ତ୍ୟାଗରେ ରାଜା ହୋଇଥିଲେ। ଏଡ଼ୱାର୍ଡ ଅଷ୍ଟମ ୧୯୩୬ରେ ୩୨୬ ଦିନ ଶାସନରେ ରହିବାପରେ ସ୍ବଇଚ୍ଛାରେ ରାଜପଦ ତ୍ୟାଗ କରିଥିଲେ। ଆଧୁନିକ ରାଜକୀୟ ଇତିହାସରେ ଏହା ସବୁଠାରୁ ବଡ଼ ବିବାଦୀୟ ପ୍ରସଙ୍ଗ ଥିଲା। ଆମେରିକାର ଜଣେ ଛାଡ଼ପତ୍ର ପାଇଥିବା ମହିଳା ୱାଲିସ ସିମ୍ପସନ୍‌ଙ୍କୁ ବିବାହ ନିଷ୍ପତ୍ତି ନେବାପରେ ସେ ରାଜଗାଦି ଛାଡ଼ିଥିଲେ। ଏହା ବଡ଼ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଥିଲା। ଦୀର୍ଘ ୧୦୦୦ ବର୍ଷର ବ୍ରିଟିଶ ଇତିହାସରେ ଏଡୱାର୍ଡ ସ୍ବଇଚ୍ଛାରେ ରାଜପଦ ତ୍ୟାଗ କରିଥିଲେ।

୧୯୫୨ରେ ରାଣୀ ଏଲିଜାବେଥଙ୍କ ଭଉଣୀ ମାର୍ଗାରେଟ୍‌ଙ୍କ ପ୍ରେମ ସମ୍ପର୍କ ବ୍ରିଟେନ୍‌ ରାଜ ପରିବାରରେ ଝଡ଼ ସୃଷ୍ଟି କରିଥିଲା। ମାର୍ଗାରେଟ୍‌ ତାଙ୍କ ପିତାଙ୍କ ସହଯୋଗୀ ପୂର୍ବତନ ରୟାଲ ଏୟାର ଫୋର୍ସ ଅଫିସର ପିଟର ଟାଉନସେଣ୍ଡଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜନସାଧାରଣ ଏବଂ ସରକାର ମଧ୍ୟରେ ବିବାଦ ବଢ଼ିଥିଲା। ରାଣୀ ଏଲିଜାବେଥ ଖୁବ୍ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଅବଶ୍ୟ ମାର୍ଗାରେଟ୍‌ ଶେଷରେ ତାଙ୍କ ସମ୍ପର୍କ ଚ୍ଛିନ୍ନ କରିବାପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ୧୯୬୦ରେ ସେ ଜଣେ ଫଟୋଗ୍ରାଫରଙ୍କୁ ବିବାହ କରିଥିଲେ। ୧୯୭୮ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। ୧୯୯୨ ମସିହା ରାଣୀଙ୍କ ପାଇଁ ଅତି ଜଟିଳ ଥିଲା। ୧୯୯୨ରେ ରାଣୀଙ୍କ ୩ଟି ସନ୍ତାନଙ୍କ ବିବାହ ଭାଙ୍ଗି ଯାଇଥିଲା ଏବଂ ୱିଷ୍ଟର କାଷ୍ଟଲ୍‌ରେ ନିଆଁ ଲାଗି ଯାଇଥିଲା। ଏହିବର୍ଷ ପ୍ରିନ୍ସ ଚାର୍ଲ‌୍‌ସ ଏବଂ ପ୍ରିନ୍ସେସ ଡାଏନାଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ରାଣୀଙ୍କ ଦ୍ବିତୀୟ ପୁଅ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ପତ୍ନୀ ସାରା ଫର୍ଗୁସନ୍‌ଙ୍କଠାରୁ ଅଲଗା ରହିଥିଲେ। ଏହାପରେ ରାଣୀଙ୍କ ଏକମାତ୍ର ଝିଅ ପ୍ରିନ୍ସେସ୍‌ ଆନ୍ନେ ତାଙ୍କ ପ୍ରଥମ ସ୍ବାମୀ ମାର୍କ ଫିଲିପ୍ସଙ୍କୁ ଛାଡ଼ପତ୍ର ଦେଇଥିଲେ। ଚାର୍ଲ୍‌ସଙ୍କୁ ଛାଡ଼ପତ୍ର ଦେବାପରେ ଡାଏନା ତାଙ୍କ ରାଜକୀୟ ପାହ୍ୟା ହରାଇ ଦେଇଥିଲେ। ୧୯୯୭ ଅଗଷ୍ଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆସିଥିଲା। ରାଣୀଙ୍କ ନାତି ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ଆମେରିକୀୟ ପତ୍ନୀ ମେଘନା ୨୦୨୦ରେ ରାଜକୀୟ କର୍ତ୍ତବ୍ୟରୁ ଦୂରେଇ ରହି ଉତ୍ତର ଆମେରିକା ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର