କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ୍‌: ଦୁଃଖ ପ୍ରକାଶ କଲା ଦକ୍ଷିଣ କୋରିଆ, କୋରିଆ ରାଷ୍ଟ୍ରଦୂତଙ୍କୁ ସମନ

ବୈଦେଶିକ ମନ୍ତ୍ରୀ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ: ପାକିସ୍ତାନର ଏକ ହୁଣ୍ଡାଇ ଡିଲର୍‌ସିପ୍ ପକ୍ଷରୁ କାଶ୍ମୀର ପ୍ରସଙ୍ଗରେ ସୋସିଆଲ୍‌ ମିଡିଆରେ ଯେଉଁ ବିବାଦୀୟ ପୋଷ୍ଟ କରାଯାଇଥିଲା ତାହାକୁ ନେଇ ଭାରତ ସରକାର ଆପତ୍ତି ଉଠାଇବା ପରେ ଆଜି ଦକ୍ଷିଣ କୋରିଆ ତରଫରୁ ଦୁଃଖ ପ୍ରକାଶ କରାଯାଇଛି।‌ କୋରିଆର ବୈଦେଶିକ ମନ୍ତ୍ରୀ ଚୁଙ୍ଗ୍‌-ଇୟୁଇ-ୟଙ୍ଗ୍‌ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଏହି ପ୍ରସଙ୍ଗରେ ଫୋନ୍‌ରେ କଥାବାର୍ତା ହୋଇଛନ୍ତି। ଏହି ଘଟଣା ପାଇଁ ସେ ଭାରତ ସରକାର ଓ ଭାରତର ଲୋକମାନଙ୍କ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗକୁ ଭାରତ ସରକାର ଗମ୍ଭୀରତାର ସହ ନେଇ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିଲେ ଓ ଅସନ୍ତୋଷ ଜାହିର କରିଥିଲେ। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମଧ୍ୟ ଏବିଷୟରେ କୋରିଆ ସରକାର ଓ ହୁଣ୍ଡାଇର ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରିଥିଲେ। ଏହା ପରେ ହୁଣ୍ଡାଇ ମୋଟର୍ସ ସ୍ପଷ୍ଟୀକରଣ ଜାରି କରି ଦୁଃଖ ପ୍ରକାଶ କରିଛି। କଂପାନି ସ୍ପଷ୍ଟ କରିଛି ଯେ ଏହା ରାଜନୈତିକ ଓ ଧାର୍ମିକ ପ୍ରସଙ୍ଗରେ କୌଣସି ମତ ଦେବାକୁ ଚାହେନାହିଁ। କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରିଥିବା କଂପାନି ପିଜ୍ଜା ହଟ୍ ଓ କେଏଫ୍‌ସି ମଧ୍ୟ କ୍ଷମା ମାଗିଛନ୍ତି। ସୁଜୁକି, ଟୟୋଟା ଓ କିଆ ପକ୍ଷରୁ ବିବୃତି ଜାରି କରି ଡିଲର୍‌ ଓ ସହଯୋଗୀଙ୍କ ରାଜନୈତିକ ଓ ଧାର୍ମିକ ମତ କଂପାନିର ମତ ନୁହେଁ ‌େବାଲି ସ୍ପଷ୍ଟ କରାଯାଇଛି।

‌ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଛନ୍ତି ଯେ ହୁଣ୍ଡାଇ ପାକିସ୍ତାନ ପକ୍ଷରୁ କାଶ୍ମୀର ପ୍ରସଙ୍ଗରେ ଫେବ୍ରୁଆରି ୫ରେ ସୋସିଆଲ୍ ମିଡିଆରେ ଏକ ବିବାଦୀୟ ବାର୍ତା ପୋଷ୍ଟ୍ କରାଯାଇଥିଲା। ଏହା‌ ଜଣାପଡ଼ିବା ପରେ ସିଓଲରେ ଥିବା ରାଷ୍ଟ୍ରଦୂତ ତୁରନ୍ତ ହୁଣ୍ଡାଇର ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହା ପରେ ସେହି ବିବାଦୀୟ ପୋଷ୍ଟଟିକୁ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଥିଲା। ଫେବ୍ରୁଆରି ୭ରେ କୋରିଆ ରାଷ୍ଟ୍ରଦୂତଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା।

ହୁଣ୍ଡାଇ ଇଣ୍ଡିଆ ପକ୍ଷରୁ ଏକ ପୋଷ୍ଟରେ କୁହାଯାଇଛି ଯେ କୌଣସି ନିର୍ଦିଷ୍ଟ ଅଞ୍ଚଳର ରାଜନୈତିକ ଓ ଧାର୍ମିକ ପ୍ରସଙ୍ଗରେ ହୁଣ୍ଡାଇ ମୋଟର କଂପାନି କୌଣସି ମତ ପ୍ରକାଶ କରେନାହିଁ। ପାକିସ୍ତାନର ଏକ ସ୍ବାଧୀନ ଡିଲର୍‌ ନିଜ ଆକାଉଣ୍ଟ୍‌ରୁ କାଶ୍ମୀର ପ୍ରସଙ୍ଗରେ ‌ସୋସିଆଲ୍ ମିଡିଆରେ ଯେଉଁ ପୋଷ୍ଟ କରାଯାଇଥିଲା ତାହା ‌ହୁଣ୍ଡାଇ ମୋଟର୍ସର ରହିଥିବା ନୀତିର ବିରୋଧୀ। ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ହୁଣ୍ଡାଇ ବ୍ରାଣ୍ଡ୍‌ ନାମର ଅପବ୍ୟବହାରକୁ ରୋକିବା ଲାଗି ତୁରନ୍ତ ପୋଷ୍ଟକୁ ହଟାଇ ଦିଆଯାଇଛି ଏବଂ ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ତାହା ନିଶ୍ଚିତ କରିବା ଲାଗି କଂପାନି ପଦକ୍ଷେପ ଗ୍ରହଣ କରିଛି। ବହୁ ଦଶନ୍ଧି ଧରି ହୁଣ୍ଡାଇ ମୋଟର କଂପାନି ଭାରତରେ ନିବେଶ କରୁଛି ଏବଂ ଭାରତୀୟ ଗ୍ରାହକଙ୍କ ପ୍ରତି ପ୍ରତିବଦ୍ଧ ରହିଛି। ସୋସିଆଲ ମିଡିଆ ପୋଷ୍ଟ ପାଇଁ ଲୋକମାନେ ଯେଉଁ ଅସୁବିଧା ସାମ୍ନା କରିଛନ୍ତି ସେଥିପାଇଁ କଂପାନି ଦୁଃଖ ପ୍ରକାଶ କରିଛି। ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଏଭଳି ସୋସିଆଲ ମିଡିଆ ପୋଷ୍ଟକୁ ନିନ୍ଦା କରାଯାଇଛି। ଏହା ପୂର୍ବରୁ ଏହି ପ୍ରସଙ୍ଗରେ କଂପାନି ଯେଉଁ ସ୍ପଷ୍ଟୀକରଣ ଦେଇଥିଲା ତାହାକୁ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଶବ୍ଦର ଖେଳ ନଖେଳି ସିଧାଦଳଖ କ୍ଷମା ମାଗିବାକୁ ଲୋକମାନେ ସୋସିଆଲ ମିଡିଆରେ ଦାବି କରିଥିଲେ। ତେଣୁ ନୂଆ ପୋଷ୍ଟରେ କଂପାନି ନିଜର ତ୍ରୁଟି ସୁଧାରି ଦୁଃଖ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର