ସୋସିଆଲ ମିଡିଆରୁ ହଟିଲା ବିବାଦୀୟ ‌ପୋଷ୍ଟ

ରିପୋର୍ଟ ଜାରିକଲେ କମ୍ପାନି

ନୂଆଦିଲ୍ଲୀ : ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହେବା ପରେ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକ ସେମାନଙ୍କ ପ୍ଲାଟଫର୍ମରୁ ବିବାଦୀୟ ପୋଷ୍ଟିଂ ହଟାଇବା ସଂପର୍କିତ ପ୍ରଥମ ରିପୋର୍ଟ ଜାରି କରିଛନ୍ତି। ମେ ୧୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମାସକର ରିପୋର୍ଟ ଏଥିରେ ପ୍ରକାଶ କରାଯାଇଛି। ଉକ୍ତ ରିପୋର୍ଟରୁ ଜଣାଯାଇଛି ଫେସବୁକ୍ ଏହାର ପ୍ଲାଟଫର୍ମରୁ ଉକ୍ତ ସମୟ ମଧ୍ୟରେ ୩ କୋଟିରୁ ଅଧିକ ବିବାଦୀୟ ପୋଷ୍ଟ୍‌କୁ ହଟାଇଛି। ୧୦ଟି ଉଲ୍ଲଂଘନକାରୀ ବର୍ଗରେ କମ୍ପାନି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସେହିଭଳି ଇନଷ୍ଟାଗ୍ରାମ ଏହି ସମୟରେ ୨୦ ଲକ୍ଷରୁ ଅଧିକ ବିବାଦୀୟ ପୋଷ୍ଟ୍‌କୁ ବାଦ୍ ଦେଇଛି।

ନୂଆ ଆଇଟି ନିୟମ ଅନୁଯାୟୀ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକ ସେମାନଙ୍କ ପ୍ଲାଟଫର୍ମରୁ କେତେ ପୋଷ୍ଟ୍‌କୁ ବାଦ୍ ଦେଇଛନ୍ତି ସେ ସଂପର୍କିତ ମାସିକ ରିପୋର୍ଟ ପ୍ରକାଶ କରିବେ। ଏଥିରେ ସେମାନେ ପାଇଥିବା ଅଭିଯୋଗ ଏବଂ ତାହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିସ୍ତୃତ ରିପୋର୍ଟ ରହିବ। ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକ ଏହି ନିୟମକୁ କାର୍ଯ୍ୟକାରୀ କରିବେ। କୃତ୍ରିମ ବୁଦ୍ଧିମତା ସହିତ ଅନ୍ୟାନ୍ୟ ମାଧ୍ୟମରେ ଏହି ପୋଷ୍ଟ ଗୁଡ଼ିକୁ ଚିହ୍ନଟ କରାଯାଉଛି। ଉକ୍ତ କାର୍ଯ୍ୟକୁ ଆଗାମୀ ଦିନରେ ଆହୁରି ଭଲଭାବେ କରାଯିବ ବୋଲି ଫେସବୁକ୍‌ର ଜଣେ ପ୍ରବକ୍ତା କହିଛନ୍ତି। ତେବେ ଏହା ଅନ୍ତରୀଣ ରିପୋର୍ଟ ହୋଇଥିବାବେଳେ ଆସନ୍ତା ୧୫ ତାରିଖ‌ରେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ। ଏଥିସହିତ ‌ଜୁଲାଇ ୧୫ ତାରିଖରେ ହ୍ବାଟ୍‌ସଆପ୍‌ର ତଥ୍ୟ ମଧ୍ୟ ଜାରି ହେବ ବୋଲି ଫେସବୁକ୍ କହିଛି। ପ୍ରତିମାସର ରିପୋର୍ଟିଂ ଅବଧି ଶେଷ ହେବାର ୩୦ରୁ ୪୫ ଦିନ ପରେ ରିପୋର୍ଟ ଜାରି ହେବ।

ଉପରୋକ୍ତ ସୋସିଆଲ ମିଡିଆ ସଂସ୍ଥାର ରିପୋର୍ଟ ଆସିବା ପୂର୍ବରୁ ଗୁଗୁଲ୍‌ ଏହାର କାର୍ଯ୍ୟାନୁ‌ଷ୍ଠାନ ରିପୋର୍ଟ ଗତ ୧ ତାରିଖରେ ପ୍ରକାଶ କରିଛି। ଗୁଗୁଲ୍‌ ନିକଟକୁ ଏପ୍ରିଲ ୧ ରୁ ୩୦ ତାରିଖ ମଧ୍ୟରେ ବହୁପରିମାଣର ପୋଷ୍ଟ ହଟାଇବା ପାଇଁ ୨୭୭୬୨ଟି ଅଭିଯୋଗ ଆସିଥିଲା। କମ୍ପାନି ଏଗୁଡ଼ିକୁ ବିଚାର କରିବା ପରେ ମୋଟ ୫୯୩୫୦ଟି ପୋଷ୍ଟକୁ ହଟାଇଛି। ଏଥିରୁ ସର୍ବାଧିକ ୨୬୭୦୭ ଅଭିଯୋଗ କପିରାଇଟ୍ ପାଇଁ ମିଳିଥିଲା। ଏହାବ୍ୟତୀତ ଟ୍ରେଡମାର୍କ ପାଇଁ ୩୫୭ (୧.୩%), ନିନ୍ଦାସୂଚକ ପାଇଁ ୨୭୫(୧%)ଟି, ଅନ୍ୟ ବିବାଦୀୟ ଆଇନ ପାଇଁ ୨୭୨(୧%), ନକଲି ପାଇଁ ୧୧୪(୧%) ଅଭିଯୋଗ ଆସିଥିଲା। ଟ୍ବିଟରର ଭାରତୀୟ ପ୍ରତିଯୋଗୀ କୁହାଯାଉଥିବା ‘କୁ’ ପ୍ରଥମେ ଏହି ରିପୋର୍ଟ ଜୁନ୍ ମାସ ପାଇଁ ପ୍ରକାଶ କରିଛି। ୫୫୦୨ଟି ଅଭିଯୋଗରୁ କମ୍ପାନି ୧୨୫୩ଟି ବା ୨୨.୭ ପ୍ରତିଶତ ପୋଷ୍ଟକୁ ହଟାଇଛି ବୋଲି କହିଛି।

ଫେସ୍‌ବୁକ୍‌, ଗୁଗୁଲ୍‌ର ପ୍ରଂଶସା କଲେ ଆଇଟି ମନ୍ତ୍ରୀ
ନୂଆଦିଲ୍ଲୀ : ସରକାରଙ୍କ ନୂଆ ଆଇଯି ନିୟମ ଦେଶରେ କାର୍ଯ୍ୟକାରୀ ହେବାପରେ ଗୁଗୁଲ୍‌ ଏବଂ ଗୁଗୁଲ୍ ଭଳି କମ୍ପାନି ‌ଏହାକୁ ପାଳନ କରିଛନ୍ତି। ନିୟମ ମୁତାବକ ଏହି କମ୍ପାନି ଗୁଡ଼ିକ ସେମାନଙ୍କ ବିଭିନ୍ନ ପ୍ଲାଟଫର୍ମରୁ ଏକାଧିକ ‌ପୋଷ୍ଟକୁ ହଟାଇ ଦେଇଛନ୍ତି। ଆଇଟି କମ୍ପାନିଙ୍କ ଏଭଳି କାର୍ଯ୍ୟକୁ ଆଇଟି ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶଂସା କରିଛନ୍ତି। ସ୍ବଚ୍ଛତା‌ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଆଜି ଅପରାହ୍ଣରେ ମନ୍ତ୍ରୀ କହିଛନ୍ତି। ଏକ ଟ୍ବିଟ୍‌ରେ ମନ୍ତ୍ରୀ ଏସଂକ୍ରାନ୍ତ ରିପୋର୍ଟ ସଂଲଗ୍ନ ଫେସବୁକ୍‌, ଗୁଗୁଲ୍ ଏବଂ ଇନଷ୍ଟାଗ୍ରାମ ଆଦିର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର