ବେଙ୍ଗାଲୁରୁ : କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ସିଏସ୍ ଅଶ୍ବଥ ନାରାୟଣ ବିରୋଧୀ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ଟିପୁ ସୁଲତାନଙ୍କ ପୁଅ ବୋଲି କହିଛନ୍ତି। ‘ଆପଣମାନେ ଟିପୁଙ୍କୁ ନା ସବରକରଙ୍କୁ ଚାହାନ୍ତି? ଟିପୁ ସୁଲତାନଙ୍କୁ ଆମେ କେଉଁଠିକି ପଠାଇବା? ଉରି ଗୌଡ଼ ଏବଂ ନାଞ୍ଜେ ଗୌଡ଼ ଯାହା କରିଥିଲେ ତାହା କରିବା? ସମାନ ଢଙ୍ଗରେ ଟିପୁଙ୍କ ପୁଅ ସିଦ୍ଧରମେୟାଙ୍କୁ ବିଦା କରାଯିବା ଉଚିତ’ ବୋଲି ମନ୍ତ୍ରୀ ନାରାୟଣ ମାଣ୍ୟାଠାରେ କହିବା ପରେ ଏହାକୁ ସିଦ୍ଧରମୈୟା ତୀବ୍ର ବିରୋଧ କରିଛନ୍ତି। ନାରାୟଣ ତାଙ୍କୁ ମହୀଶୂର ରାଜ୍ୟର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଭଳି ହତ୍ୟା କରିବା ପାଇଁ ଲୋକଙ୍କୁ ଉସକାଉଛନ୍ତି ବୋଲି ସିଦ୍ଧରମୈୟା ଦାବି କରିଛନ୍ତି। ମନ୍ତ୍ରୀ ନାରାୟଣଙ୍କୁ ବିଦା କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାଲାଗି ସେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ନିକଟରେ ଦାବି କରିଛନ୍ତି।
ତେବେ ନାରାୟଣ କହିଛନ୍ତି, ତାଙ୍କ ମନ୍ତବ୍ୟ ବ୍ୟକ୍ତିଗତଭାବେ ସିଦ୍ଧରମୈୟାଙ୍କ ଉଦ୍ଦେଶ୍ୟରେ ନଥିଲା। ଯଦି କଂଗ୍ରେସ ବିଧାୟକ ଦଳ ନେତା ଏଥିରେ ଅପମାନିତ ଅନୁଭବ କରୁଛନ୍ତି, ତାହେଲେ ସେ ଦୁଃଖ ପ୍ରକାଶ କରିବେ। ସୂଚନାଯୋଗ୍ୟ, ପୁରୁଣା ମହୀଶୂରରେ ଦାବି କରାଯାଏ ଯେ ଟିପୁ ବ୍ରିଟିସମାନଙ୍କ ସହିତ ଲଢ଼େଇ କରି ମୃତ୍ୟୁବରଣ କରି ନଥିଲେ। ଭୋକାଲିଗା ମୁଖିଆ ଉରି ଗୌଡ଼ ଏବଂ ନାଞ୍ଜେ ଗୌଡ଼ ତାଙ୍କୁ ହତ୍ୟା କରିଥିଲେ। ତେବେ ଏଭଳି ଦାବିକୁ କିଛି ଐତିହାସିକ ଗ୍ରାହଣ କରି ନଥାନ୍ତି।