ଆଜାନ୍‌କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ: ଆଲ୍ଲା କ’ଣ କେବଳ ଲାଉଡସ୍ପିକର‌ରେ ଶୁଣନ୍ତି?

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା କେ ଏସ୍‌ ଈଶ୍ବରପ୍ପା ଆଜାନ୍‌କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ରବିବାର ମାଙ୍ଗାଲୁରୁର କବୁରରେ ଦଳର ବିଜୟ ସଂକଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ ଈଶ୍ବରପ୍ପା କହିଥିଲେ ଆଲ୍ଲା କ’ଣ କେବଳ ଲାଉଡସ୍ପିକରରେ ଶୁଣନ୍ତି। ଈଶ୍ବରପ୍ପା ଉଦ୍‌ବୋଧନ ଦେଉଥିବାବେଳେ ନିକଟସ୍ଥ ଏକ ମସଜିଦରୁ ଆଜାନ ଶୁଣି ତାଙ୍କ ଭାଷଣକୁ କିଛି ସେକେଣ୍ଡ ବନ୍ଦ କରିଦେଇଥିଲେ। କିନ୍ତୁ ସଙ୍ଗେସଙ୍ଗେ ସେ ଆଜାନ ବିରୋଧରେ ଟିପ୍ପଣୀ ଦେଇଥିଲେ।

ଈଶ୍ବରପ୍ପା କହିଥିଲେ, ଯେଉଁଠିକୁ ବି ଯାଅ ଏହା ଏକ ମୁଣ୍ଡବିନ୍ଧା। ଆଲ୍ଲା କ’ଣ କେବଳ ଲାଉଡସ୍ପିକରରେ କହିଲେ ଶୁଣନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ଆଲ୍ଲା ଲାଉଡସ୍ପିକର ଆବଶ୍ୟକ କରୁଛନ୍ତି ତେବେ ଆମେ ତାଙ୍କୁ ବଧିର କହିବା ଆବଶ୍ୟକ ବୋଲି ସେ କହିଥିଲେ। ତେବେ ଈଶ୍ବରପ୍ପା ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେମାନେ ବିଚାରଧାରାକୁ ନେଇ କୌଣସି ସାଲିସ କରିବୁନି। ‌ଯେଉଁ ମୁସଲିମ ଜାତୀୟତାବାଦରେ ବିଶ୍ବାସ କରନ୍ତି ସେମାନେ ଆମ ସହ ଅଛନ୍ତି ଏବଂ ଆମ୍‌ ପାଇଁ ଭୋଟ୍‌ ଦେବେ। କିନ୍ତୁ କେବଳ ପିଏଫ୍‌ଆଇ ଏବଂ ଏସ୍‌ଡିପିଆଇକୁ ସମର୍ଥନ କରୁଥିବା ମୁସଲମାନମାନେ ଆମ ସହ ନାହାନ୍ତି। ବିଜେପି ନେତା ଈଶ୍ବରପ୍ପା କହିଛନ୍ତି, ଆଜାନ ପାଇଁ ବ୍ୟବହାର ହେଉଥିବା ଲାଉଡ୍‌ସ୍ପିକର ଲୋକଙ୍କୁ ଅସୁବିଧାରେ ପକାଉଛି। ବିଶେଷ କରି ପରୀକ୍ଷା ପାଇଁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ହସ୍ପିଟାଲ୍‌ରେ ଥିବା ରୋଗୀମାନେ ଏଥିପାଇଁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର