ପାଟନା: ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ବିବାଦୀୟ ବୟାନ ସୋସିଆଲ ମଡିଆରେ ଭାଇରାଲ ହେଉଛି। ଗତକାଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍ ଦ୍ବାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଇଏଏସ୍ ଅଫିସର ହରଜୋତ୍ କୌର ସ୍କୁଲ ଛାତ୍ରୀଙ୍କୁ ସାନିଟାରି ପ୍ୟାଡ୍ ଉପଲବ୍ଧ କରାଯିବା ସଂକ୍ରାନ୍ତ ଏକ ପ୍ରଶ୍ନର ଜବାବରେ କହିଥିଲେ, ଏଭଳି ହେଲେ ଲୋକେ ମାଗଣାରେ କଣ୍ଡମ ଦେବାପାଇଁ ମଧ୍ୟ ଦାବି କରିବେ। ସର୍ବଦା କିଛି ନା କିଛି ମାଗିବା ଲୋକଙ୍କ ଅଭ୍ୟାସ ପାଲଟିଗଲାଣି ବୋଲି କୌର କହିଥିଲେ। କୌରଙ୍କୁ କେତେକ ଛାତ୍ରୀ ପ୍ରଶ୍ନ କରିଥିଲେ ଯେ କ’ଣ ସରକାର ୨୦ ଟଙ୍କା ମୂଲ୍ୟର ସାନିଟାରି ପ୍ୟାଡ୍ ଉପଲବ୍ଧ କରାଇପାରିବେ ନାହିଁ? ଏହାର ଜବାବରେ ମହିଳା ଆଏଏସ୍ କହିଥିଲେ, ତା’ହେଲେ ତ’ ଲୋକେ କଣ୍ଡମ ବି ମାଗଣାରେ ଦାବି କରିବେ। ଅଧିକାରୀଙ୍କ ଏଭଳି ତତ୍ସଲ୍ୟଭରା ଓ ବିବାଦୀୟ ବୟାନ ସମସ୍ତଙ୍କୁ ବିସ୍ମିତ କରିଥିଲା। ବିହାରରେ ବିଭିନ୍ନ ସମୟରେ ଅଧିକାରୀମାନଙ୍କର ବେପରୁଆ ଏବଂ ସମ୍ବେଦନହୀନ ବୟାନ ଚର୍ଚ୍ଚାରେ ରହୁଥିବା ବେଳେ ସୋସିଆଲ ମିଡିଆରେ ଲୋକେ ଅତି କଡ଼ା ପ୍ରତିକ୍ରିୟା ରଖିଛନ୍ତି।