ନୂଆଦିଲ୍ଲୀ: ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡ଼ିଵାଲାଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କରିଥିବା ସୁପାରିସକୁ ଆଜି ପ୍ରତ୍ୟାହାର କରିନିଆଯାଇଛି। କୌଣସି ନାବାଳିକାର ବସ୍ତ୍ର ନଫିଟାଇ ଏବଂ ଚର୍ମଘର୍ଷଣ ବିନା ଶରୀରରେ କେବଳ ହସ୍ତ ସଂଚାଳନକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ ବୋଲି ଗତ ୧୯ ତାରିଖରେ ଏକ ମାମଲାର ବିଚାର କରି ଜଷ୍ଟିସ ଗାନେଡ଼ିଵାଲା ରାୟ ଦେଇଥିଲେ। ନାବାଳିକାଙ୍କ ବକ୍ଷୋଜରେ କେବଳ ହସ୍ତ ସଂଚାଳନ କରାଯାଇଥିବାରୁ ପୋକ୍ସୋ ଆଇନରେ ତାହାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ ବୋଲି ସେ ଦର୍ଶାଇଥିଲେ।
ସେଥିପାଇଁ ଯୌନାକାଂକ୍ଷା ରଖି ଚର୍ମସଂଯୋଗ ଜରୁରୀ ବୋଲି ସେ ଟିପ୍ପଣୀ କରିଥିଲେ। ତେବେ ଏଭଳି ରାୟକୁ କେନ୍ଦ୍ର କରି ନାନା ବିତର୍କ ଓ ଅଶାନ୍ତି ଆରମ୍ଭ ହେବାରୁ ତାହାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ। ଅପରପକ୍ଷେ, ଜଷ୍ଟିସ ଗାନେଡ଼ିଵାଲା ତାଙ୍କ ଆଇନଜୀବୀ ପେସା ବେଳେ ଏଭଳି ସମ୍ବେଦନଶୀଳ ମାମଲା ଭେଟିନାହାନ୍ତି, ତେଣୁ ତାଙ୍କୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଧିକ ଅଭିଜ୍ଞତା ଓ ପ୍ରଶିକ୍ଷଣ ଜରୁରୀ ବୋଲି ଅନୁଭବ କରି କଲେଜିଅମ୍ ତାଙ୍କର ପୂର୍ବ ସୁପାରିସ୍ ଫେରାଇ ନେଇଥିବା ସୁପ୍ରିମକୋର୍ଟର ଏକ ବିଶେଷ ସୂତ୍ରରୁ ଜଣାଯାଇଛି। ଜଷ୍ଟିସ୍ ପୁଷ୍ପାଙ୍କ ରାୟ ନେଇ ବିଭିନ୍ନ ମହିଳା ସଂଗଠନ ଏବଂ ଶିଶୁ ଅଧିକାର ସଂଗଠନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kjgkjgkgkgkjgkjgkjgkj547545454.jpg)