ବରେଲିରେ ଧର୍ମାନ୍ତରଣ ଓ ଦୁଷ୍କର୍ମ ମାମଲାକୁ ନେଇ ଆଲୋଡ଼ନ

ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଜଣେ ମୁସଲମାନ ଯୁବକ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ଜଣେ ମହିଳାଙ୍କୁ ଧର୍ମାନ୍ତରିତ କରିବା ଓ ନିଜ ବାପାଙ୍କ ସହ ଯୌନକ୍ରିୟା କରିବାକୁ ବାଧ୍ୟ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଉକ୍ତ ଯୁବକକୁ ଗିରଫ କରାଯାଇଥିବା ବେଳେ ତାଙ୍କ ବାପାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଅନୁରୂପ ଘଟଣାରେ ଆଉ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି। ପୁଲିସରେ ଜଣେ ୨୪ ବର୍ଷୀୟା ମହିଳା କରିଥିବା ଅଭିଯୋଗ ଅନୁସାରେ, ଆବିଦ ନାମକ ଜଣେ ଯୁବକ ନିଜକୁ ଅଙ୍କିତ ବୋଲି ମିଥ୍ୟା ପରିଚୟ ଦେଇ ତାଙ୍କୁ ପ୍ରେମଜାଲରେ ଫସାଇଥିଲା। ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ପରେ ସେ ତାଙ୍କର ଅନ୍ତରଙ୍ଗ ଭିଡ଼ିଓ ଇଣ୍ଟରନେଟ୍‌ରେ ଛାଡ଼ିଦେବାକୁ ଧମକ ଦେଇ ବ୍ଲାକ୍‌ମେଲ କରିବାକୁ ଆରମ୍ଭ କରିଥିଲା।

ଏଥିସହ ସେ ତାଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରିବା ସହିତ ବଳପୂର୍ବକ ଧର୍ମାନ୍ତରିତ କରିଥିଲା। କେବଳ ସେତିକି ନୁହେଁ, ନିଜ ବାପା ସହ ବି ଅନୈତିକ ସମ୍ପର୍କ ରଖିବାକୁ ସେ ତାଙ୍କୁ ବାଧ୍ୟ କରିଥିଲା। ଅଭିଯୁକ୍ତ ଓ ତା’ ପରିବାର ସଦସ୍ୟମାନେ ତାଙ୍କୁ ମାରଧର କରିବା ସହ ଗୋଟିଏ ଘରେ ବନ୍ଦ କରି ରଖିଥିଲେ। କୌଣସି ପ୍ରକାରେ ସେଠାରୁ ଖସିଆସି ସେ ପୁଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସିଟି ଏସ୍‌ପି ରାହୁଲ ଭଟି ଶୁକ୍ରବାର କହିଛନ୍ତି ଯେ, ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଓ ଅନ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି, ତଦନ୍ତ ଚାଲିଛି ଏବଂ ଏହା ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଆଉ ଏକ ମାମଲାରେ ଜଣେ ୨୫ ବର୍ଷୀୟ ଯୁବକ ଆଲିମ ନିଜକୁ ଆନନ୍ଦ ବୋଲି ମିଥ୍ୟା ପରିଚୟ ଦେଇ ଜଣେ ଯୁବତୀଙ୍କୁ ଫସାଇବା ପରେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅନୈତିକ ସମ୍ପର୍କ ରଖିଥିଲା। ପରେ ସେ ତାଙ୍କୁ ଜବରଦସ୍ତ ଧର୍ମାନ୍ତରିତ କରିଥିଲା ଓ ହତ୍ୟା କରିବାକୁ ଧମକ ଦେଇଥିଲା।

ସମ୍ବନ୍ଧିତ ଖବର