ଅକ୍ସଫୋର୍ଡର କୋଭିଡ୍‌-୧୯ ଟିକା ଲାଗି ଅଷ୍ଟ୍ରେଲିଆରେ ବିବାଦ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କୋରୋନାଭାଇରସ୍ ଟିକା ନ ନେବାକୁ ଅଷ୍ଟ୍ରେଲିଆରେ ଜଣେ ବିବାଦୀୟ ଇମାମ୍ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ କହିଛନ୍ତି। ଇମାମ୍ ସୁଫିୟାନ୍ ଖଲିଫା ଦାବି କରିଛନ୍ତି ଯେ, ଆଷ୍ଟ୍ରାଜେନିକା ଦ୍ବାରା ବିକଶିତ ଟିକାଟି ‘ନିଷିଦ୍ଧ’ ସାମଗ୍ରୀ।

ଆଷ୍ଟ୍ରାଜେନିକାର ଟିକା ବିକାଶ ପ୍ରଣାଳୀରେ ବିରକ୍ତି ପ୍ରକାଶକରି ଖଲିଫା ତାଙ୍କ ୟୁଟ୍ୟୁବ୍ ଚାନେଲ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ତାଙ୍କ ବ୍ୟତୀତ ନିକଟରେ ଜଣେ ବରିଷ୍ଠ କ୍ୟାଥୋଲିକ୍ ଆର୍କବିସପ୍ ମଧ୍ୟ ଟିକା ପ୍ରସ୍ତୁତିର ନୈତିକତା ଉପରେ ଚିନ୍ତା ପ୍ରକଟ କରିଥିଲେ। ବିକଶିତ ଏହି ଟିକାରେ ୭୦ ଦଶକରେ ଗର୍ଭପାତରୁ ନିଆଯାଇଥିବା ମାନବଭ୍ରୂଣର ଜୀବକୋଷ ଆସ୍ତରଣ ବ୍ୟବହୃତ ହୋଇଥିବା ସେମାନେ କହୁଛନ୍ତି। ତେଣୁ ଧାର୍ମିକ ଦୃଷ୍ଟିରୁ ତାହା ଅନୈତିକ ବୋଲି ସେମାନଙ୍କର ମତ।

ସିଡ୍‌ନି ଆର୍କବିସପ୍ ଆନ୍ଥୋନି ଫିସର୍‌ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଏହି ପତ୍ରରେ ଆଙ୍ଗ୍ଲିକାନ୍ ଓ ଗ୍ରୀକ୍ ଅର୍ଥୋଡକ୍ସ୍‌ ଧାର୍ମିକ ନେତାମାନଙ୍କର ସ୍ବାକ୍ଷର ରହିଛି।

Image Courtesy of Hindustan Times

ସେମାନଙ୍କର ଦାବି ଯେ ଧାର୍ମିକ ଦିଗ ସୁନିଶ୍ଚିତ ରଖିବାକୁ ‘ନୈତିକତା’ ପ୍ରତି ଦୃଷ୍ଟି ଦିଆଯାଇ ଅନ୍ୟ ପ୍ରଣାଳୀରେ ଟିକା ପ୍ରସ୍ତୁତ କରାଯାଉ। କ୍ୟାଥୋଲିକ୍ ସଙ୍ଗଠନର ଆପତ୍ତି ଉତ୍ଥାପନ କରି ଇମାମ୍‌ ଖଲିଫା ଅଷ୍ଟ୍ରେଲିଆରେ ଥିବା ସେମାନଙ୍କ ସମ୍ପ୍ରଦାୟର ସଙ୍ଗଠନକୁ ପଚାରିଛନ୍ତି ଯେ, ଏହି ଟିକାକୁ ନିଷିଦ୍ଧ କରିବାକୁ ସେମାନେ କାହିଁକି ଫତ୍‌ୱା ଜାରି କରି ନାହାନ୍ତି।

ଏଠାରେ ସୂଚନାଯୋଗ୍ୟ କି, ନିରାପଦ ଓ ଫଳପ୍ରଦ ପ୍ରମାଣିତ ହେଲେ ଏହି ଟିକା ଉତ୍ପାଦନ କରିବାକୁ ଅଷ୍ଟ୍ରେଲିଆ ଏ ମାସରେ ଆଷ୍ଟ୍ରାଜେନିକା ସହ ରାଜିନାମା କରିଛି। ଏହି ଟିକାକୁ ଅଷ୍ଟ୍ରେଲିଆର ସମସ୍ତ ଜନତାଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ମଧ୍ୟ ସରକାର ଯୋଜନା କରିଛନ୍ତି।

କେତେକ ଅଷ୍ଟ୍ରେଲୀୟ ସରକାରୀ କର୍ମଚାରୀମାନେ ମଧ୍ୟ କହିଛନ୍ତି କି, ଧାର୍ମିକ ସମ୍ପ୍ରଦାୟଙ୍କ ଭାବାବେଗ ପ୍ରତି ମଧ୍ୟ ସେମାନଙ୍କର ସମ୍ମାନ ରହିଛି।

 

 

ସମ୍ବନ୍ଧିତ ଖବର