ଧର୍ମଗୁରୁ ରବିଶଙ୍କର ମଧ୍ୟସ୍ଥତା କରିବାକୁ ଆଗ୍ରହୀ

ବିବାଦୀୟ ବାବରି ମସ୍‌ଜିଦ-ରାମ ମନ୍ଦିର ମାମଲା

ନୂଆଦିଲ୍ଲୀ: ଅଦାଲତର ହସ୍ତକ୍ଷେପ ବାହାରେ ବିବାଦୀୟ ବାବରି ମସ୍‌ଜିଦ-ରାମମନ୍ଦିର ପ୍ରସଙ୍ଗର ଶାନ୍ତିପୂର୍ଣ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଅନ୍ତର୍ଜାତୀୟ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ୱୀକାର କରିଛନ୍ତି। ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏହି ସାମ୍ପ୍ରଦାୟିକ ସମସ୍ୟାର ସମାଧାନ ପାଇଁ ୨୦୦୩-୦୪ ବେଳେ ମଧ୍ୟ ଉଦ୍ୟମ ହୋଇଥିଲା। ତେବେ ବର୍ତ୍ତମାନର ସ୍ଥିତି ଅପେକ୍ଷାକୃତ ଯଥେଷ୍ଟ ଅନୁକୂଳ ରହିଛି ବୋଲି ‘ଆର୍ଟ ଅଫ୍‌ ଲିଭିଂ’ର ପ୍ରତିଷ୍ଠାତା ରବିଶଙ୍କର କହିଛନ୍ତି। ସେହିପରି ଏ ଦିଗରେ ତାଙ୍କର ଏହି ଉଦ୍ୟମ ବ୍ୟକ୍ତିଗତ ଏବଂ କୌଣସି ରାଜନୀତି ସହ ଜଡ଼ିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିବାଦୀୟ ବାବରି ଢାଞ୍ଚା ଭଙ୍ଗାର ୨୫ ତମ ବାର୍ଷିକୀ ଅବସରରେ ଆସନ୍ତା ଡିସେମ୍ବର ୫ ତାରିଖରୁ ସୁପ୍ରିମକୋର୍ଟ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରିବେ। ତେବେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ପାରସ୍ପରିକ ଭେଦଭାବ ଭୁଲି ଶାନ୍ତି ପ୍ରତିଷ୍ଠା ଦିଗରେ ଆଗେଇ ଆସିବାକୁ ଶ୍ରୀ ରବିଶଙ୍କର ଆହ୍ଵାନ କରିଛନ୍ତି। ପୂର୍ବାପେକ୍ଷା ବର୍ତ୍ତମାନର ସ୍ଥିତି ବେଶ୍‌ ଅନୁକୂଳ ରହିଛି। ଲୋକେ ମଧ୍ୟ ଶାନ୍ତି ବଜାୟ ରଖିବା ଚାହୁଛନ୍ତି। ତେଣୁ ଉଭୟ ସମ୍ପ୍ରଦାୟ ଭ୍ରାତୃଭାବର ନିଦର୍ଶନ ସ୍ୱରୂପ ଏହି ବିବାଦୀୟ ମାମଲାର ସମାଧାନ ପାଇଁ ସହଯୋଗ କରିବାକୁ ରବିଶଙ୍କର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର