ନୂଆଦିଲ୍ଲୀ: ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀ ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଭିନ୍ନ ମତ ରଖିଛନ୍ତି। ଇଣ୍ଡିଆ ମେଣ୍ଟର କିଛି ସଦସ୍ୟ ଡିଏମ୍କେ ନେତାଙ୍କ ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖିଥିବାବେଳେ ଅନ୍ୟ କିଛି ନେତା ଏହି ଟିପ୍ପଣୀକୁ ନିନ୍ଦା କରିଛନ୍ତି। କଂଗ୍ରେସ ନେତାମାନେ ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି। କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ କହିଛନ୍ତି, ଯେକୌଣସି ଧର୍ମ ଯାହା ସମାନତାକୁ ପ୍ରୋତ୍ସାହିତ କରୁନଥିବ ଏବଂ ଆପଣଙ୍କୁ ମଣିଷ ଭଳି ସମ୍ମାନ ଦେଉନଥିବ ତାହା ଧର୍ମ ନୁହେଁ। ସେହିପରି ଯେଉଁ ଧର୍ମ ସମାନ ଅଧିକାର ପ୍ରଦାନ କରେନା ଏବଂ ମଣିଷ ଭଳି ବ୍ୟବହାର ଦେଖାଏନା ତାହା ରୋଗ ଭଳି । ଗଣମାଧ୍ୟମରେ ଉଦ୍ବୋଧନ ଦେଇ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ‘ସର୍ବଧର୍ମ ସମଭାବ’ ହେଉଛି କଂଗ୍ରେସର ବିଚାରଧାରା। ଆମର ମତ ସ୍ପଷ୍ଟ। ପ୍ରତ୍ୟେକ ରାଜନୈତିକ ଦଳର ନିଜର ମତ ରଖିବାର ସ୍ବାଧୀନତା ରହିଛି। ଆମେ ସମସ୍ତଙ୍କ ବିଶ୍ବାସକୁ ସମ୍ମାନ ଦେଉଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କମଳନାଥ କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ମତ ହୋଇଥାଇପାରେ କିନ୍ତୁ ମୁଁ ଷ୍ଟାଲିନଙ୍କ ଟିପ୍ପଣୀରେ ଏକମତ ନୁହେଁ। କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମ କହିଛନ୍ତି, ଉଦୟନିଧି କିଛି ଭୁଲ୍ କହିନାହାନ୍ତି। କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କରନ ସିଂହ କହିଛନ୍ତି, ଡିଏମ୍କେ ନେତାଙ୍କ ଟିପ୍ପଣୀକୁ ହଟାଯିବା ଉଚିତ। ଷ୍ଟାଲିନଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ବୋଲି ସେ କହିଛନ୍ତି।
‘ସର୍ବଧର୍ମ ସମଭାବ’ କଂଗ୍ରେସର ବିଚାରଧାରା: ବେଣୁଗୋପାଳ
ପ୍ରତି ଧର୍ମକୁ ସମାନ ଭାବେ ସମ୍ମାନ ଦିଆଯିବା ଉଚିତ: ମମତା
ଟିଏମ୍ସି ଉଦୟନିଧି ଷ୍ଟାଲିନଙ୍କ ପୁଅଙ୍କ ‘ ସନାତନ ଧର୍ମ’ ଟିପ୍ପଣୀକୁ କଡ଼ା ନିନ୍ଦା କରିଛି। ଟିଏମ୍ସି କହିଛି ଉଦୟନିଧିଙ୍କର ଏହି ଟିପ୍ପଣୀ ସହ ଇଣ୍ଡିଆ ମେଣ୍ଟର କିଛି ସମ୍ପୃକ୍ତି ନାହିଁ। ଟିଏମ୍ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ଆମେ ଏଭଳି ଟିପ୍ପଣୀକୁ ନିନ୍ଦା କରୁଛୁ। ସଦ୍ଭାବ ହେଉଛି ଆମ ସଂସ୍କୃତି। ଆମକୁ ଅନ୍ୟ ଧର୍ମକୁ ସମ୍ମାନ ଦେବାକୁ ପଡ଼ିବ। ଇଣ୍ଡିଆ ମେଣ୍ଟର ଉକ୍ତ ଟିପ୍ପଣୀ ସହ କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆମେ ଏଭଳି ବିଷୟବସ୍ତୁରେ ସଂଶ୍ଳିଷ୍ଟ ହେବା ଉଚିତ ନୁହେଁ ଯାହା ସମାଜର କିଛି ଭାଗ ଲୋକଙ୍କୁ କଷ୍ଟ ଦେଉଥିବ। ଯଦି ଉଦୟନିଧିଙ୍କ ଟିପ୍ପଣୀ କଥା ବିଚାରକୁ ନିଆଯିବ ତେବେ ସେ ହେଉଛନ୍ତି ଜଣେ କନିଷ୍ଠ। କେଉଁ ପରିପ୍ରେକ୍ଷୀରେ ଏବଂ କ’ଣ ପାଇଁ ସେ ଏଭଳି ଟିପ୍ପଣୀ ଦେଇଛନ୍ତି ତାହା ମୁଁ ସ୍ପଷ୍ଟ ନୁହେଁ। ତେବେ ପ୍ରତି ଧର୍ମକୁ ସମାନ ଭାବେ ସମ୍ମାନ ଦିଆଯିବା ଉଚିତ ବୋଲି ମୁଁ ଭାବୁଛି। ମମତା କହିଛନ୍ତି, ତାମିଲନାଡ଼ୁ ଏବଂ ଦକ୍ଷିଣ ଭାରତର ଲୋକଙ୍କୁ ମୁଁ ସମ୍ମାନ ଦେଉଛି। କିନ୍ତୁ ସେମାନଙ୍କୁ ମୋର ଗୋଟିଏ ଅନୁରୋଧ ଯେ ସମସ୍ତଙ୍କୁ ସମ୍ମାନ ଦିଅ।