ଟିଏମ୍‌ସି ବିଧାୟକଙ୍କ ‘ଏକ୍‌ ବିହାରୀ ସୌ ବିମାରୀ’ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ

କୋଲକାତା : ଜଣାଶୁଣା ବଙ୍ଗଳା ଲେଖକ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ମନୋରଂଜନ ବ୍ୟାପାରୀ ସୋସିଆଲ ମିଡିଆରେ ବିହାରୀଙ୍କୁ ଟାର୍ଗେଟ କରୁଥିବା ଭାଷଣର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ନିକଟରେ କୋଲକାତା ପୁସ୍ତକ ମେଳାର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସେ ବିହାରୀମାନଙ୍କୁ ‘ବିମାରିସ୍’ ବୋଲି ବର୍ଣ୍ଣନା କରିବା ସହ ସେମାନଙ୍କୁ ପଶ୍ଚିମବଙ୍ଗ ଛାଡ଼ି ଚାଲିଯିବାକୁ କହିଥିଲେ।

ଟିଏମ୍‌ସି ବିଧାୟକ ତାଙ୍କ ଭାଷଣରେ କହିଥିଲେ, ଏକ୍‌ ବିହାରୀ ସୌ ବିମାରୀ (ଗୋଟିଏ ବିହାରୀ ଶହେ ରୋଗ ସହିତ ସମାନ)। ଆମେ ରୋଗ ଚାହୁନାହୁଁ, ବଙ୍ଗଳାକୁ ରୋଗମୁକ୍ତ କରନ୍ତୁ ବୋଲି ଉପସ୍ଥିତ ଜନତାଙ୍କୁ ଟିଏମ୍‌ସି ନେତା କହିଥିଲେ। ମନୋରଞ୍ଜନ ବ୍ୟାପାରୀଙ୍କ ବିବୃତିର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି ଶୁଭେନ୍ଦୁ ଅଧିକାରୀ।ଉକ୍ତ ଭାଇରାଲ୍ ଭିଡିଓରେ ଟିଏମସି ବିଧାୟକ କହିଛନ୍ତି- ‘‘ଯଦି ତୁମର ଶିରାରେ ବଙ୍ଗାଳୀ ରକ୍ତ ପ୍ରବାହିତ ହେଉଥାଏ… ଯଦି ଖୁଦୀରାମ ଏବଂ ନେତାଜୀ (ସୁଭାଷ ଚନ୍ଦ୍ର ବୋଷ)ଙ୍କ ରକ୍ତ ଆପଣଙ୍କ ଶିରାରେ ପ୍ରବାହିତ ହେଉଥାଏ  ଏବଂ ଯଦି ଆପଣ ଆପଣଙ୍କର ମାତୃଭାଷା ଏବଂ ମାତୃଭୂମିକୁ ଭଲ ପାଆନ୍ତି, ତେବେ ଆପଣଙ୍କୁ ଜୋର ଗଳାରେ କରିବାକୁ ପଡ଼ିବ – ‘ଏକ ବିହାରୀ, ସୋ ବିମାରୀ’| ଆମେ ରୋଗ ଚାହୁଁନାହୁଁ | ବଙ୍‌ଗଳାକୁ ରୋଗ ମୁକ୍ତ କରନ୍ତୁ | ଜୟ ବଙ୍ଗଳା, ଜୟ ଦିଦି ମମତା ବାନାର୍ଜୀ।’’

ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏଭଳି ବୟାନକୁ ଜୋର୍‌ଦାର ବିରୋଧ କରିଛନ୍ତି ଏବଂ ଏହା ରାଜ୍ୟ ସ୍ବାର୍ଥରେ ନୁହେଁ ବୋଲି କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ‘ବିହାରୀ ବାବୁ’ ଭାବେ ପରିଚିତ ଅଭିନେତା ଶତ୍ରୁଘ୍ନ ସିହ୍ନା ତୃଣମୂଳ ଟିକେଟ୍‌ରେ ଆସାନସୋଲ୍ ଲୋକସଭା ଆସନରୁ କିଭଳି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ପ୍ରଶ୍ନ ଉଠାଇ ଶୁଭେନ୍ଦୁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ।

ସମ୍ବନ୍ଧିତ ଖବର