ବିହାର ଏନ୍‌ଡିଏ ମେଣ୍ଟରେ ଫାଟ, ବିଧାୟକ ଓ ସାଂସଦଙ୍କ ବୈଠକ ଡାକିଲେ ନୀତୀଶ

ଇସ୍ତଫା ଦେବାର ଦିନକ ପରେ ନୀତୀଶଙ୍କ ଉପରେ ବର୍ଷିଲେ ଆର୍‌ସିପି ସିଂହ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ଯୋଗ ଦେଇନଥିବା ବେଳେ ବିହାର ଏନ୍‌ଡିଏ ମେଣ୍ଟରେ ମଧ୍ୟ ଅସନ୍ତୋଷ ବଢ଼ିପାରେ ଲାଗିଛି। ଉଭୟ ବିଜେପି ଏବଂ ଜେଡିୟୁ ନେତାମାନେ ପରସ୍ପର ବିରୋଧୀ ବୟାନ ଦେବାରେ ଲାଗିଛନ୍ତି। ନୀତୀଶ ଆଗାମୀ ମଙ୍ଗଳବାର ଜେଡିୟୁ ବିଧାୟକ ଓ ସାଂସଦମାନଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି।

ଅନ୍ୟପକ୍ଷରେ ଦଳରୁ ଇସ୍ତଫା ଦେବାର ଦିନକ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ସିପି ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଜଣେ ପ୍ରତିଶୋଧପରାୟଣ ବ୍ୟକ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ଥିବା ସିଂହ କହିଛନ୍ତି ଯେ ନୀତୀଶ କୁମାର ଏତେ ତଳକୁ ଖସିଗଲେ ଯେ ତାଙ୍କ ଝିଅମାନଙ୍କୁ ବି ଟାର୍ଗେଟ କରିବାକୁ ପଛାଇଲେ ନାହିଁ।

ସିଂହ ଇସ୍ତଫା ଦେବା ପୂର୍ବରୁ ଜେଡିୟୁ ପକ୍ଷରୁ ତାଙ୍କୁ ପଚରାଯାଇଥିଲା ଯେ ସେ ତାଙ୍କ ସ୍ତ୍ରୀ ଓ ଝିଅମାନଙ୍କ ନାମରେ ୯ ବର୍ଷରେ ମୋଟ ୫୦୦ କାଠାର ୫୮ଟି ପ୍ଲଟ୍ କିଣିଛନ୍ତି, ଏତେ ଜମି ସେ କାହିଁକି କିଣିଛନ୍ତି ଏବଂ ଏଥିପାଇଁ ଟଙ୍କା ସେ କେଉଁଠୁ ଆଣିଲେ। ଏଥିରେ ଅନିୟମିତତା ଜଳଜଳ ଦିଶୁଛି ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ସହଯୋଗୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସହ ସିଂହଙ୍କ ଘନିଷ୍ଠତା ବୃଦ୍ଧି ପାଉଥିବାରୁ ତାହାକୁ ନୀତୀଶ କୁମାର କୁଆଡ଼େ ପସନ୍ଦ କରୁ ନ ଥିଲେ। ଦଳମୁଖ୍ୟଙ୍କ ବିନା ସହମତିରେ ସିଂହ କୁଆଡ଼େ କେନ୍ଦ୍ରରେ ମନ୍ତ୍ରିପଦ ଗ୍ରହଣ କରିଥିଲେ। ତେବେ ଆର୍‌ସିପି ସିଂହ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଅମିତ ଶାହ କ୍ୟାବିନେଟ୍ ସମ୍ପ୍ରସାରଣ ହେବ ବୋଲି ନୀତୀଶ କୁମାରଙ୍କ ସହ କଥା ହୋଇଥିଲେ। ସେ କୁଆଡ଼େ କହିଥିଲେ ଯେ ସିଂହଙ୍କୁ ମନ୍ତ୍ରୀ କରିବା ସର୍ତ୍ତରେ ଜେଡିୟୁକୁ ଗୋଟିଏ ମନ୍ତ୍ରିପଦ ମିଳିବ। ତେଣୁ ତାଙ୍କୁ ନ ପଚାରି ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ବୋଲି ଯାହା କୁହାଯାଉଛି ତାହା ଡାହା ମିଛ ବୋଲି ସିଂହ କହିଛନ୍ତି। ନୀତୀଶ ମୋତେ ଦିଲ୍ଲୀ ଯାଇ ମନ୍ତ୍ରୀଭାବେ ଶପଥ ନେବାକୁ କହିଥିଲେ ବୋଲି ବୋଲି ସିଂହ କହିଛନ୍ତି।

ଜେଡିୟୁକୁ ଏକ ବୁଡ଼ିଲା ଜାହାଜ ବୋଲି ଅଭିହିତ କରି ସିଂହ କହିଛନ୍ତି ଯେ ନୀତୀଶ କୁମାର ସାତ ଜନ୍ମରେ ବି ପ୍ରଧାନମନ୍ତ୍ରୀ ହୋଇ ପାରିବେନି। ଆର୍‌ସିପି ସିଂହଙ୍କୁ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରି ସ୍ଲୋଗାନ ଦିଆଯାଉଥିବା ଭିଡ଼ିଓ ଜାରି ହେବାର ସପ୍ତାହକ ପରେ ଜେଡିୟୁ ପକ୍ଷରୁ ତାଙ୍କ ସମ୍ପତ୍ତିକୁ ନେଇ ଉତ୍ତର ମଗାଯାଇଥିଲା। ତାଙ୍କୁ ଲଜ୍ଜିତ କରିବା ପାଇଁ ଏହି ନୋଟିସ ପଠାଯାଇଛି ଏବଂ ନୀତୀଶ କୁମାର ତାଙ୍କ ଉପରେ ପ୍ରତିଶୋଧ ନେଉଛନ୍ତି ବୋଲି ସିଂହ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର