ଚେନ୍ନାଇ : ଚୋଳବଂଶର ମହାନ ଶାସକ ରାଜା ରାଜ ଚୋଳ ଜଣେ ହିନ୍ଦୁ ରାଜା ନଥିଲେ କହି ଜାତୀୟ ପୁରସ୍କାର ବିଜେତା ତାମିଲ ନିର୍ଦ୍ଦେଶକ ବେଟ୍ରିମାରନ ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ତାମିଲ ସୁପରଷ୍ଟାର୍ କମଲ ହାସନ ମଧ୍ୟ ନିର୍ଦ୍ଦେଶକଙ୍କ ଟିପ୍ପଣୀକୁ ସମର୍ଥନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବେଟ୍ରିମାରନ କହିଥିଲେ, ‘ରାଜା ରାଜ ଚୋଳ ହିନ୍ଦୁ ନଥିଲେ, କିନ୍ତୁ ସେମାନେ (ବିଜେପି) ଆମ ପରିଚୟକୁ ଚୋରି କରିବାକୁ ଲଗାତାର ଚେଷ୍ଟା କରୁଛନ୍ତି। ସେମାନେ ତିରୁବଲ୍ଲୁବରଙ୍କୁ ଗୈରୀକରଣ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆମେ ଏହା ହେବାକୁ ଦେବୁନି। ଏହାପରେ କମଲ ହାସନ ତାଙ୍କୁ ସମର୍ଥନ କରିଥିଲେ। ହାସନ କହିଥିଲେ ରାଜା ରାଜ ଚୋଳଙ୍କ ସମୟରେ ‘ହିନ୍ଦୁ ଧର୍ମ’ ବୋଲି କିଛି ନଥିଲା।
ତେବେ ବେଟ୍ରିମାରନଙ୍କୁ ହାସନଙ୍କ ସମର୍ଥନ ମିଳିଥିଲେ ସୁଦ୍ଧା ବିଜେପି ଉକ୍ତ ନିର୍ଦ୍ଦେଶକଙ୍କ ଉପରେ ପ୍ରବଳ ବର୍ଷିଛି। ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏହି ପ୍ରସଙ୍ଗରେ କହିଛନ୍ତି, ତାମିଲନାଡ଼ୁରେ ପ୍ରମୁଖ ହିନ୍ଦୁ ବ୍ୟକ୍ତିତ୍ବଙ୍କୁ ଗୌଣ କରିବାପାଇଁ ଜୋରଦାର ଉଦ୍ୟମ ଚାଲିଛି। ତାମିଲନାଡ଼ୁରେ ହିନ୍ଦୁ ସାଂସ୍କୃତିକ ପରିଚୟ ଲୁଚାଇବାପାଇଁ ହେଉଥିବା ପ୍ରୟାସ ଗ୍ରହଣୀୟ ନୁହେଁ। ତେବେ ଏଭଳି ଉଦ୍ୟମ ବିରୋଧରେ ଆମେ ସ୍ବର ଉତ୍ତୋଳନ କରିବା ଉଚିତ ବୋଲି ସେ କହିଛନ୍ତି।