ରୋମ: ମହିଳାମାନେ ଅଧିକ ମଦ୍ୟପାନ ନ କଲେ ଦୁଷ୍କର୍ମକୁ ଏଡ଼ାଇପାରିବେ ବୋଲି ମତ ଦେଇ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ପାର୍ଟନର (ପ୍ରେମିକ) ଆଣ୍ଡ୍ରିଆ ଜ୍ୟାମ୍ବ୍ରୁନୋ ଏକ ବିବାଦ ସୃଷ୍ଟି କରିଛନ୍ତି। ‘ରେଟ୍‌ ୪’ ନାମକ ଏକ ଟିଭି ଚାନେଲର କାର୍ଯ୍ୟକ୍ରମରେ ନିକଟରେ ନେପ୍‌ଲସ ଓ ପାଲେର୍ମୋରେ ଘଟିଥିବା ହାଇପ୍ରୋଫାଇଲ ଗଣଦୁଷ୍କର୍ମ ଉପରେ ମତ ଦେଇ ଜ୍ୟାମ୍ବ୍ରୁନୋ କହିଥିଲେ, ‘‘ତୁମେ ନାଚିବାକୁ ଗଲାବେଳେ ମଦ ପିଇପାର... କିନ୍ତୁ ଯଦି ତୁମେ ଅଧିକ ମଦ ପିଇବାକୁ ଏଡ଼ାଇପାରିବ ଏବଂ ହୋସ୍‌ରେ ରହିପାରିବ, ତେବେ ସମ୍ଭବତଃ ଦୁଷ୍କର୍ମର ଶିକାରକୁ ଏଡ଼ାଇପାରିବ।’’ ତେଣୁ ଦୁଷ୍କର୍ମକୁ ଏଡ଼ାଇବା ପାଇଁ ଅଧିକ ମଦ ପିଇବାରୁ ନିବୃତ୍ତ ରହିବାକୁ ଜ୍ୟାମ୍ବ୍ରୁନୋ ପରାମର୍ଶ ଦେଇଥିଲେ, ଯାହାକୁ ଉକ୍ତ ଟିଭି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲିବେରୋ ଖବରକାଗଜର ସମ୍ପାଦକ ପେଟ୍ରୋ ସେନାଲ୍‌ଡି ସମର୍ଥନ କରିଥିଲେ। ଉଭୟ ଜ୍ୟାମ୍ବ୍ରୁନୋ ଓ ସେନାଲ୍‌ଡି ଦୁଷ୍କର୍ମକୁ ନିନ୍ଦା କରିଥିଲେ। ଦୁଷ୍କର୍ମକାରୀମାନଙ୍କୁ ସେମାନେ ‘ଗଧିଆ’ ବୋଲି ଅଭିହିତ କରିଥିଲେ।

Advertisment

ତେବେ ସାମାଜିକ ଗଣମାଧ୍ୟମରେ ଜ୍ୟାମ୍ବ୍ରୁନୋଙ୍କ ବିବୃତିକୁ ସମାଲୋଚନା କରାଯାଇଛି। ଦୁଷ୍କର୍ମ ପାଇଁ ସେ ପୀଡ଼ିତାମାନଙ୍କୁ ଦୋଷ ଦେଉଥିବା ଅଭିଯୋଗ କରାଯାଇଛି। ଇତିମଧ୍ୟରେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ତାଙ୍କ ପାର୍ଟନରଙ୍କ ବିବୃତିରୁ ନିଜକୁ ଦୂରେଇ ରଖିବା ପାଇଁ କହିଛନ୍ତି। ବିରୋଧୀ ଦଳ ଫାଇଭ୍ ଷ୍ଟାର୍ ମୁଭ୍‌ମେଣ୍ଟ ପାର୍ଟି (ଏମ୍‌୫ଏସ୍) ପକ୍ଷରୁ ଜ୍ୟାମ୍ବ୍ରୁନୋଙ୍କ ମନ୍ତବ୍ୟକୁ ‘ଅଗ୍ରହଣୀୟ ଓ ଲଜ୍ଜାଜନକ’ ବୋଲି କୁହାଯାଇଛି। ତାହା ପୁରୁଷ-ପ୍ରଧାନ ଅପସଂସ୍କୃତିର ପରିଚାୟକ ବୋଲି ସେମାନେ କହିଛନ୍ତି। ତେବେ ଆଣ୍ଡ୍ରିଆ ଜ୍ୟାମ୍ବ୍ରୁନୋ ନିଜ ବିବୃତି ସପକ୍ଷରେ କହିଛନ୍ତି,- ‘‘ଯଦି ମୁଁ କିଛି ଭୁଲ୍ କହିଥାନ୍ତି, ତେବେ କ୍ଷମା ମାଗିଥାନ୍ତି। କିନ୍ତୁ ମୁଁ କିଛି ଭୁଲ୍ କହିନାହିଁ। ମୁଁ କ’ଣ କହିବା ଉଚିତ ବା ଅନୁଚିତ ତାହା କୌଣସି ରାଜନେତାଙ୍କଠାରୁ ଶିଖିବାକୁ ଚାହେ ନାହିଁ। ମୁଁ କହିଛି ଯେ ଦୁଷ୍କର୍ମ ଏକ ଜଘନ୍ୟ କାର୍ଯ୍ୟ। ଦୁଷ୍କର୍ମକାରୀମାନଙ୍କୁ ମୁଁ ସମର୍ଥନ କରିନାହିଁ। ତା’ ସହ ମୁଁ ଯୁବତୀମାନଙ୍କୁ ବାହାରକୁ ଯାଇ ମଦ ଓ ନିଶାଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦେଇଛି। ସେମାନଙ୍କୁ ସତର୍କ ରହିବାକୁ ମୁଁ ପରାମର୍ଶ ଦେଇଛି। ତା’ ନ ହେଲେ ଖରାପ ଲୋକମାନେ ସୁଯୋଗ ନେଇପାରନ୍ତି ବୋଲି ମୁଁ ଚେତାଇ ଦେଇଛି। ନିଶାଗ୍ରସ୍ତ ମହିଳାମାନଙ୍କୁ ଦୁଷ୍କର୍ମ କରିବାର ଅଧିକାର ପୁରୁଷମାନଙ୍କର ଅଛି ବୋଲି ମୁଁ କହିନାହିଁ।’’