ୟୁପି: କାନପୁର ସ୍କୁଲରେ ପିଲାଙ୍କୁ କଲମା ପଢ଼ିବାକୁ କୁହାଯିବା ନେଇ ବିବାଦ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କାନପୁରଠାରେ ଥିବା ଫ୍ଲୋରେଟ୍‌ସ ଇଣ୍ଟରନ୍ୟାସନାଲ ସ୍କୁଲରେ ପିଲାଙ୍କୁ କଲମା ପଢ଼ିବାକୁ କୁହାଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଖବର ଭାଇରାଲ ହେବା ପରେ ୟୁପି ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସୋମବାର ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ଘରୋଇ ବିଦ୍ୟାଳୟରେ ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଯାଉଥିବା ନେଇ ପୁଲିସ ଏକ ମାମଲା ରୁଜୁ କରିଛି। ରବିବାର ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ତତ୍ପରତା ପ୍ରକାଶ କରିଥିଲା। ଯେତେବେଳେ ପୁଲିସ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ପଚାରିଲା, ସେମାନେ ସଫେଇ ଦେଲେ ଯେ ସର୍ବଧର୍ମ ସମନ୍ବୟର ଆଦର୍ଶ ଶିଖାଇବା ପାଇଁ ତାଙ୍କ ବିଦ୍ୟାଳୟରେ ଚାରୋଟି ଧର୍ମର ପ୍ରାର୍ଥନା ବୋଲାଯାଏ।

ବିଦ୍ୟାଳୟର ପ୍ରିନ୍ସିପାଲ ଅଙ୍କିତା ଯାଦବଙ୍କ କହିବା ଅନୁସାରେ, ଗତ ୧୨/୧୩ ବର୍ଷ ହେଲା ସେମାନେ ହିନ୍ଦୁ, ମୁସଲିମ୍, ଶିଖ୍ ଓ ଖ୍ରୀଷ୍ଟିଆନ ପ୍ରର୍ଥନା ବୋଲି ଆସୁଥିଲେ। କେହି ପ୍ରତିବାଦ କରିନାହାନ୍ତି। କିନ୍ତୁ ଚାରିଦିନ ତଳେ ଜଣେ ଅଭିଭାବକ ପ୍ରଥମେ ଆପତ୍ତି ଉଠାଇଥିଲେ। ସବୁ ଧର୍ମ ଯେ ସମାନ ଏ କଥା ପିଲାଙ୍କୁ ଶିଖାଇବାକୁ ସେମାନେ ଚାହୁଥିଲେ। କିନ୍ତୁ ଏବେ ଏହାକୁ ନେଇ ଯେତେବେଳେ ଅଭିଯୋଗ ଉଠିଲାଣି, ସେମାନେ ଏଣିକି ଆଉ ଧାର୍ମିକ ପ୍ରାର୍ଥନା ନ ବୋଲି ଜାତୀୟ ସଂଗୀତ ବୋଲିବାକୁ ସ୍ଥିର କରିଛନ୍ତି।
ଜଣେ ଅଭିଭାବକଙ୍କ କହିବା ଅନୁସାରେ, ତାଙ୍କ ପୁଅ ଏହି ସ୍କୁଲରେ ପଢ଼େ। ଗତ କିଛିଦିନ ହେଲା ସେ ଘରେ କଲମା ଆବୃତ୍ତି କରୁଛି। ତାକୁ ପଚାରିବାରୁ ସେ କହିଲା ଯେ ଏହା ପ୍ରତିଦିନ ତାଙ୍କ ସ୍କୁଲରେ ପ୍ରାର୍ଥନାରେ ବୋଲାଯାଉଛି। ତାଙ୍କ ପୁଅ ଏ ସ୍କୁଲରେ କାହିଁକି ପଢ଼ିବ? କିଛିଦିନ ପରେ ସେ ତା’ ନିଜ ଧର୍ମ ଛାଡ଼ି ଯଦି ମୁସଲମାନ ହୋଇଯାଏ? ପୁଲିସ ଏସିପି ନିଶଙ୍କ ଶର୍ମା କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ସେମାନେ ତଦନ୍ତ କରିବାକୁ ଯାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଧାର୍ମିକ ପ୍ରାର୍ଥନା ନ ବୋଲି ଦୈନିକ ପ୍ରାର୍ଥନା ସଭାରେ ଜାତୀୟ ସଂଗୀତ ବୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର